ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ବୌଦ୍ଧ ବ୍ଲକ ଏବଂ ଏନଏସିର ରାମେଶ୍ଵର ବିହାର ଠାରେ ଦୁଇଟି ମିଶନ ଶକ୍ତି କାଫେର ଶୁଭାରମ୍ଭ କରାଯାଇଛି। ଜଙ୍ଗଳ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦଘାଟନ କରିଛନ୍ତି।

ରାଜ୍ୟ ସରକାର ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ତିଆରି ସୁଆଦିଆ ଜଳଖିଆ ମିଶନଶକ୍ତି ମା’ଙ୍କୁ ରୋଜଗାର ଯୋଗାଉଛି। ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାର ସମସ୍ତ ସ୍ଥାନରେ ମିଶନ ଶକ୍ତି କଫେ ଖୋଲା ଗଲେ ମହିଳାମାନେ ରୋଜଗାରାକ୍ଷମ ହୋଇପାରିବେ ବୋଲି ଉଦଘାଟନୀ ଅବସରରେ ମନ୍ତ୍ରୀ କହିଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।

ଏହା ପୂର୍ବରୁ ଜିଲ୍ଲାର ଜନ୍ମଦିନରେ ପ୍ରଶାସନ ପକ୍ଷରୁ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ପ୍ରଥମେ ଲକ୍ଷ୍ମୀ ନାଳ ଉପରେ ସେତୁ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହା ସହ ବଘିଆପଡ଼ା ଶଗଡ଼ାଠାରୁ ବବଡ଼ା ପର୍ଯ୍ୟନ୍ତ ଗ୍ରାମ୍ୟ ସଡ଼କ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

Tags: #MissionShaktiCafe #Millets #Boudh

Comment