ଓଡ଼ିଶାଲାଇଭ୍ ବ୍ୟୁରୋ

 

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସବୁଦିନ ଆସର ଜମୁଛି। ଉଭୟ ମଥୁରାନଗରୀ ଏବଂ ଗୋପପୁରରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଗୋଟେପଟେ କଂସ ମହାରଜଙ୍କ ଶାସନ ଏବଂ ଅନ୍ୟପଟେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଦର୍ଶକ ବିମୋହିତ ହେଉଛନ୍ତି। ଏକ ଅନନ୍ୟ ପରିବେଶ ଭିତରେ ବରଗଡ଼ ସହର ଉତଫୁଲ୍ଲିତ ହେଉଛି।

ବରଗଡ଼ ଧନୁଯାତ୍ରା ଅଷ୍ଟମ ଦିବସରେ ପହଁଞ୍ଚିଛି। ମଙ୍ଗଳବାର କଂସ ମହାରଜଙ୍କ ଦ୍ଵାରା ଧନୁଯାତ୍ରା ଆୟୋଜନର ଦୃଶ୍ୟ ଦେଖିବାକୁ ମିଳିଛି। କଂସଙ୍କ ନିର୍ଦ୍ଦେଶ କ୍ରମେ ଅକ୍ରୂର କୃଷ୍ଣ ବଳରାମଙ୍କୁ ଧନୁଯାତ୍ରାରେ ନିମନ୍ତ୍ରଣ କରିବାକୁ ଗୋପପୁରରେ ପହଁଞ୍ଚିଛନ୍ତି। ଗୋପପୁରରେ କୃଷ୍ଣଙ୍କ ଦ୍ଵାରା ଶଙ୍ଖଚୂଡ଼ ବଧ ଓ ଶବରୀ ହାତରୁ ଅଇଁଠା କୋଳି ଖାଇବାର ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି। ଅପରପକ୍ଷେ କଂସ ମହାରାଜ ଦିଗବିଜୟ ଅଭିଯାନରେ ସ୍ୱର୍ଗପୁରୀ ଆକ୍ରମଣ କରିବାର ଦୃଶ୍ୟାଭିନୟ ଦେଖିବାକୁ ମିଳିଛି।

 ଅକ୍ରୂରଙ୍କ ଗୋପପୁର ଆଗମନ 

ମହାରାଜ କଂସ ନିର୍ଦ୍ଦେଶ ଅନୁସାରେ ଅକ୍ରୂର ଗୋପପୁର ଅଭିମୁଖେ ବାହାରିଥିଲେ। ସେ ଯମୁନା ନଦୀ ପଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପଦ ଚିହ୍ନ ଦେଖି ଆତ୍ମବିଭୋର ହୋଇପଡ଼ିଥିଲେ। ସେ କୃଷ୍ଣଙ୍କ ପାଦ ଚିହ୍ନ ଉପରେ ଭକ୍ତି ପୂର୍ଣ୍ଣ ଅଶୃ ଢ଼ାଳି ନିଜ ଜୀବନକୁ ଧନ୍ୟ ମନେ ଗୋପପୁରରେ ପହଁଞ୍ଚିଥିଲେ। ସେଠାରେ ଗୋପାଳଙ୍କ ସହ ଗୋଚାରଣ କରୁଥିବା କାହ୍ନାଙ୍କୁ ଦେଖି ରଥରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ବିଷ୍ଣୁ ଭକ୍ତ ଅକ୍ରୂର। ପରେ ସେ ନନ୍ଦଭବନ ପହଁଞ୍ଚି ମହାରାଜା କଂସଙ୍କ ପତ୍ରକୁ ନନ୍ଦରାଜାଙ୍କୁ ହସ୍ତାନ୍ତର କରିଥିଲେ।

ଶ୍ରୀକୃଷ୍ଣ ଦ୍ଵାରା ଶଙ୍ଖଚୂଡ ବଧ

ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋଚାରଣ, ବଣଭୋଜି, ଅନ୍ଧ ବ୍ରାହ୍ଣଣଙ୍କୁ ଚକ୍ଷୁଦାନର ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଗୋପାଙ୍ଗନାଙ୍କୁ ହରଣ କରିଥିବା ଶଙ୍ଖଚୂଡ ସର୍ପକୁ ବଧ କରି ଶଙ୍ଖମଣୀ ଉଦ୍ଧାର କରିଥିଲେ କୃଷ୍ଣ। ଭଗବାନ ଶ୍ରୀକୃଷ୍ଣ ଶବରୀ ହାତରୁ ଅଇଁଠା କୋଳି ଖାଇବାର ଦୃଶ୍ୟ ବେଶ ହୃଦୟସ୍ୱର୍ଶୀ ହୋଇ ପାରିଥିଲା।

କଂସ ମହାରାଜଙ୍କ ସ୍ଵର୍ଗପୁରୀ ଆକ୍ରମଣ

ମହାରାଜ କଂସ ଦିଗବିଜୟ ଅଭିଯାନରେ ବାହାରି ସ୍ୱର୍ଗପୁରୀ ଆକ୍ରମଣ କରିଥିଲେ। କଂସଙ୍କ ସୈନ୍ୟ ଇନ୍ଦ୍ରଙ୍କ ସେନାକୁ ଯୁଦ୍ଧରେ ପରାସ୍ତ କରିଥିଲେ। ସ୍ଵର୍ଗରେ ଦେବରାଜ ଇନ୍ଦ୍ର, ତାଙ୍କ ପତ୍ନୀ ଅନ୍ୟମାନଙ୍କୁ ବନ୍ଦୀ କରିଥିଲେ କଂସ ମହାରାଜାଙ୍କ ସେନା।

କଂସଙ୍କ ରଙ୍ଗମହଲରେ ନୃତ୍ୟଗୀତର ଆସର

ମହାରାଜା କଂସ ବିଜୁଳୀ କନ୍ୟାର ଦୈବବାଣୀ ନେଇ ଚିନ୍ତିତ ଥିବା ସହ ନିଜକୁ ନୃତ୍ୟଗୀତରେ ମସଗୁଲ୍ ରଖି ଚିନ୍ତାମୁକ୍ତ କରିବାର ପ୍ରୟାସ ଜାରି ରଖିଛନ୍ତି। ଧନୁଯାତ୍ରାର ଅଷ୍ଟମ ଦିବସରେ ରାଜଦରବାର ଏବଂ ରଙ୍ଗମହଲରେ ବାଂଲାଦେଶର ଢ଼ାକାରୁ ଆସିଥିବା ଦଳ ସମେତ ରାଜ୍ୟର ଅନ୍ୟ ଦଳମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur

Comment