ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ପରୀକ୍ଷା ପାଇଁ ଗୁରୁବାର ଦିନ ତାରିଖ ଘୋଷଣା କରାଯାଇଛି। ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଖୁବଶୀଘ୍ର ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା।

ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ସୂଚାରୁ ରୂପେ ପରୀକ୍ଷା ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଉଭୟ ରେଗୁଲାର ଏବଂ ଏକ୍ସରେଗୁଲା ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନପତ୍ର ସମାନ ରହିବ।

ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଏଥର ନୋଡାଲ ସେଣ୍ଟର ପରିବର୍ତ୍ତନ କରାଯିବ ନାହିଁ। ଚଳିତ ଥର ମାଟ୍ରିକ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ପୂରଣ କରିପାରିବେ। ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ। ରାଜ୍ୟର ୫ଲକ୍ଷ ୪୩ ହଜାର ଛାତ୍ରାଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ୩,୦୨୯ଟି କେନ୍ଦ୍ରରେ ପରୀକ୍ଷା ହେବ।

ସମ୍ମେଟିଭ-୧ ଭଳି ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁମାନେ ସମ୍ମେଟିଭ-୧ ପରୀକ୍ଷା ଦେଇଥିବେ କିମ୍ବା ଫର୍ମ ପୂରଣ କରିଥିବେ ସେମାନେ ସମ୍ମେଟିଭ-୨ ପରୀକ୍ଷା ଦେଇପାରିବେ।

ସେହିପରି ନବମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ଫେବ୍ରୁଆରି ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ। ପରୀକ୍ଷା ମୂଲ୍ୟାୟନ ଫେବ୍ରୁଆରି ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ କରାଯିବ। ନବମ ଶ୍ରେଣୀ ପରୀକ୍ଷା ଫଳ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରା।

Tags: #Education #Exam #MatricExamination #HighSchool #Student #ExamCentre

Comment