ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ପୁରୁଷ ବିଶ୍ୱକପ ସମୟରେ ଦର୍ଶକଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବାକୁ ‘ଡଟ୍ ଫେଷ୍ଟ’ର ଆୟୋଜନ ହେବାକୁ ଯାଉଛି। ଏଥର ‘ଡଟ୍ ଫେଷ୍ଟ’ରେ ଝୁମିବ ରାଜଧାନୀ ଭୁବନେଶ୍ୱର।

ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ ହେବ ହକି ପୁରୁଷ ବିଶ୍ୱକପ ୨୦୨୩। ଏଥିପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ ହେବାକୁ ଯାଉଛି ‘ଡଟ୍ ଫେଷ୍ଟ’।

‘ଡଟ୍ ଫେଷ୍ଟ’ରେ ବଲିଉଡ ଜଗତର ନାମୀଦାମୀ କଳାକାରଙ୍କ ସହ ଓଡ଼ିଆ କଳାକାରମାନେ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବେ। ୨୦୧୮ ମସିହାରେ ‘ଡଟ୍ ଫେଷ୍ଟ’ର ପ୍ରଥମ ସଂସ୍କରଣ ହୋଇଥିବାବେଳେ ଚଳିତ ବର୍ଷ ଏହା ଦ୍ଵିତୀୟ ଥର ଲାଗି ଆୟୋଜନ ହେବ। ଜାନୁଆରି ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ଡଟ୍ ଫେଷ୍ଟ’ରେ ଜମିବ ନାଚ ଗୀତର ଆସର। ଏଥର ‘ଡଟ୍ ଫେଷ୍ଟ’ର ମୁଖ୍ୟ ଆକର୍ଷଣ ପାଲଟିବେ ବଲିଉଡ ବିଉଟି ଦିଶା ପଟାନି। ଏହା ସାଙ୍ଗକୁ ୯୦ ଦଶକର ହିଟ ଯୋଡ଼ି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ତଥା ସୁଖବିନ୍ଦର ସିଂ ନିଜ କଣ୍ଠରେ ମତୁଆଲା କରିବେ ରାଜଧାନୀବାସୀଙ୍କୁ।

ରାଜଧାନୀବାସୀଙ୍କୁ ନିଜ ନୃତ୍ୟରେ ବିଭୋର କରିବା ଲାଗି ‘ଡଟ୍ ଫେଷ୍ଟ’ରେ ସାମିଲ ହେବେ ବଲିଉଡର ଜଣାଶୁଣା କୋରିଓଗ୍ରାଫର ସିଆମକ ଦାଭର ଏବଂ ସଲମାନ ୟୁସୁଫ। ଏହା ସହିତ ମ୍ୟୁଜିକ ସୁପରଷ୍ଟାର ଗୁରୁ ରନ୍ଧାୱା, ହର୍ସଦୀପ କୌର, ନୀତି ମୋହନ ଏବଂ ତ୍ରିଦେବ ଯୋଗ ଦେବେ।

ଆସନ୍ତା ୧୫ରୁ ୨୯ ତାରଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ‘ଡଟ୍ ଫେଷ୍ଟ’ର ଦ୍ଵିତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।

ଏହି ସମୟରେ ଆନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ, ଭୁବନେଶ୍ଵର ଲାଇଭ, ଭୂ-ଫେଷ୍ଟୋ, ଏକାମ୍ର ଓ୍ଵାକର୍ସ, ନାଇଟ ଫେଲା ମାର୍କେଟ, ଫଟୋ ପ୍ରଦର୍ଶନୀ ଆଦି କରାଯିବ। ଏଥିସହ ଇଣ୍ଟରନ୍ୟାସନାଲ ଫୁଡ ଫେଷ୍ଟିଭାଲରେ ୧୬ଟି ଦେଶ ଯୋଗଦେବେ। ଏକାମ୍ର ହାଟରେ ମୋଟ ୩୦ଟି ଷ୍ଟଲ୍ ଲାଗିବ। ଫୁଡ ଫେଷ୍ଟିଭାଲରେ ମାଣ୍ଡିଆକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

ସେହିଭଳି ୪ଟି ପାର୍କରେ ଷ୍ଟୋରି ଟେଲିଂ କାର୍ଯ୍ୟକ୍ରମ ରହିଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଷ୍ଟୋରି ଟେଲର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏକାମ୍ର ହାଟରେ ମାର୍କେଟ ଖୋଲା ରହିବ। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଭୁବନେଶ୍ଵର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମରେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଡଟ୍ ଫେଷ୍ଟର ନୋଡାଲ ଅଫିସର ତିରୁମାଲା ନାୟକ, ସଂସ୍କୃତି ବିଭାଗ ଷ୍ଟାଣ୍ଟିଂ କମିଟି ପକ୍ଷରୁ ମୁଖ୍ୟ ମିହିର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Tags: #HockeyWorldCup2023 #Bhubaneswar #DotFEST #Entertainment

LEAVE A REPLY

Please enter your comment!
Please enter your name here