ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧନୁଯାତ୍ରା ମହୋତ୍ସବ ଆରମ୍ଭରୁ ଏ ପର୍ଯ୍ୟନ୍ତ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି। କଂସ ମହାରାଜଙ୍କ ଶାସନ ଓ କୃଷ୍ଣପ୍ରେମରେ ବିଭୋର ହେଉଛନ୍ତି ହଜାର ହଜାର ଦର୍ଶକ।  ଗୋପପୁରଠାରୁ ମଥୁରା ଯାଏଁ ସମସ୍ତେ ମଜି ଯାଇଛନ୍ତି ଧନୁଯାତ୍ରାରେ।

ବରଗଡ଼ ଧନୁଯାତ୍ରା ମହୋତ୍ସବ ଦଶମ ଦିବସରେ ପ୍ରବେଶ କରିଛି। ଗୁରୁବାର ଅକ୍ରୂରଙ୍କ ସହ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିଛନ୍ତି। ନଗର ପରିକ୍ରମା ବେଳେ ମଥୁରାବାସୀ କୃଷ୍ଣଙ୍କୁ ଘରେ ଘରେ ପୂଜା କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ମଥୁରାରେ ଶ୍ରୀକୃଷ୍ଣଙ୍କ ସୁଦାମା ମାଳୀ ସହ ସାକ୍ଷାତ ହେବାର ଦୃଶ୍ୟାଭିନୟ ଦେଖିବାକୁ ମିଳିଛି। ଅନ୍ୟପଟେ ମଥୁରାପତି କଂସ ନିଜ ସ୍ଵପ୍ନରେ କୃଷ୍ଣଙ୍କଠାରୁ ଯୁଦ୍ଧରେ ପରାଜିତ ହେବାର ଦେଖିବାକୁ ମିଳିଛି।

କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ

ଅକ୍ରୂରଙ୍କ ସହ କୃଷ୍ଣ ବଳରାମ ଗୋପପୁରରୁ ଆସି ମଥୁରା ଭ୍ରମଣ କରିଥିଲେ। ରାଜକୀୟ ବସ୍ତ୍ର ପିନ୍ଧିବାକୁ ଇଚ୍ଛା ପ୍ରକାଶ କରି କୃଷ୍ଣ କଂସ ରାଜାଙ୍କ ରଜକକୁ ବସ୍ତ୍ର ମାଗିଥିଲେ। ରଜକ ରାଜକୀୟ ବସ୍ତ୍ର ଦେବାପାଇଁ ମନା କରିଥିଲେ। କୃଷ୍ଣ ରାଗରେ ରଜକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ ନଗର ଭ୍ରମଣ କରୁଥିବା ବେଳେ ସୁଦାମା ମାଳୀ ସହିତ ସାକ୍ଷାତ ହୋଇଥିଲା। ନଗର ଭ୍ରମଣ ସମୟରେ ମଥୁରାବାସୀଙ୍କ ସମାଗମ ହେବା ସହିତ ରାଜପଥର ବିଭିନ୍ନ ସ୍ଥାନରେ କୃଷ୍ଣ ବଳରାମଙ୍କୁ ପୂଜା କରାଯାଇଥିଲା।

କଂସଙ୍କ ସ୍ଵପ୍ନରେ କୃଷ୍ଣଙ୍କ ସହ ଯୁଦ୍ଧ

ମଥୁରା ନଗରୀରେ ମହାରାଜା କଂସ ନିଜର ଆସନ୍ନ ମୁତ୍ୟୁକୁ ନେଇ ବିଚଳିତ ହୋଇପଡ଼ିଥିଲେ। ମହାରାଜା କଂସ ଶୋଇଥିବାବେଳେ ସ୍ୱପ୍ନରେ ଦେବକୀ, ବସୁଦେବ ଓ କୃଷ୍ଣଙ୍କୁ ଦେଖିଥିଲେ। କଂସ କୃଷ୍ଣଙ୍କ ସହିତ ଗଦା ଯୁଦ୍ଧ, ମଲ୍ଲ ଯୁଦ୍ଧରେ ପରାସ୍ତ ହୋଇ ମୃତ୍ୟୁବରଣ କରିଥିବା ସ୍ୱପ୍ନରେ ଦେଖିବାକୁ ପାଇଥିଲେ। ଏହାକୁ ଭୁଲାଇବାପାଇଁ କଂସ ମହାରାଜ ରଙ୍ଗମହଲରେ ନୃତ୍ୟଗୀତରେ ମସଗୁଲ ରହିଥିଲେ।

ଏଗାର ଦିନ ଧରି ଚାଲିଥିବା ଏହି ଖୋଲା ରଙ୍ଗମଞ୍ଚର ଶୁକ୍ରବାର ହେଉଛି ଅନ୍ତିମ ଦିବସ। କଂସ ବଧ ସହ ଧନୁଯାତ୍ରା ମହୋତ୍ସବର ପରିସମାପ୍ତି ଘଟିବ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur #Mathura

Comment