ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାର ଚଳିତ ବର୍ଷର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଓ ଡେପୁଟି ନିର୍ବାଚନ ଅଧିକାରୀ ସତ୍ୟଜିତ ମହାପାତ୍ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଭୋଟରଙ୍କ ଅତିରିକ୍ତ ସୁବିଧା ପାଇଁ ଭୋଟର ହେଲପ ଲାଇନ୍ ଆପ୍ ପ୍ରଚଳନ କରାଯାଇଥିଲା। ବୁଥ ସ୍ତରୀୟ ଅଧିକାରୀ ଓ ଆପ୍ ମାଧ୍ୟମରେ ଅନେକ ଭୋଟର ନିଜ ନାମ ଯାଞ୍ଚ, ସଂଶୋଧନ, ସ୍ଥାନାନ୍ତର ଓ ନୂତନ ଭାବରେ ଆବେଦନ କରିଛନ୍ତି।

ଜିଲ୍ଲାର ମହିଳା ଭୋଟର ସଂଖ୍ୟାର ହାର କମ୍ ରହିଛି। ଏହାର ବୃଦ୍ଧି ପାଇଁ ସମସ୍ତ ରାଜନୈତିକ ଦଳର ବୁଥସ୍ତରୀୟ ପ୍ରତିନିଧିଙ୍କୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି। ବୈଠକରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମହିଳା ଭୋଟର ୭୯,୮୮୯ ଜଣ, ପୁରୁଷ ୮୪,୧୭୪ ଜଣ ଓ ତୃତୀୟ ଲିଙ୍ଗି ଭୋଟର ୩ ଜଣ ପଞ୍ଜିକୃତ ହୋଇଛନ୍ତି। ସେହିପରି ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୭,୮୦୭ ଜଣ ମହିଳା, ୮୨,୯୧୬ ଜଣ ପୁରୁଷ ଓ ୮ ଜଣ ତୃତୀୟ ଲିଙ୍ଗି ପଞ୍ଜିକୃତ ହୋଇଛନ୍ତି। ପୂର୍ବ ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୩୨,୪୭୯୭ ଜଣ ଭୋଟର ପଞ୍ଜିକୃତ ହୋଇଥିବା ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ସୂଚନା ଦେଇଛନ୍ତି।

ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଭୋଟର ସାକ୍ଷରତା କ୍ଲବରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ମାସ ୨୫ ତାରିଖରେ ସମସ୍ତ ବୁଥ୍ ଓ ଜିଲ୍ଲାସ୍ତରରେ ୧୩ ତମ ଜାତୀୟ ଭୋଟର ଦିବସ ପାଳନ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ବିଜେଡିର ଜିଲ୍ଲା ସଭାପତି ଶୀତାଂଶୁ ଶେଖର ମାହାକୁଡ଼ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, କଂଗ୍ରେସ ଜିଲ୍ଲା ଉପସଭାପତି ସମରେଶ ମିଶ୍ର ଓ କେଦାରନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିଆଇପିଆରଓ ରିତାକାନ୍ତୀ ବଳିୟାରସିଂହ, ଉପବିଭାଗ ଅଧିକାରୀ ବିଜୟ ପାଢୀ, ବରିଷ୍ଠ ରାଜସ୍ୱ ସହାୟକ ସରୋଜ ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର ମେହେର, ମନୋଜ ବେହେରା ଓ ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Boudh #VoterList #FinalVoterList

Comment