ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ ୨୦୨୩ ପାଇଁ ଇଂଲଣ୍ଡ ଏବଂ ତିନିଥର ହକି ବିଶ୍ଵ ଚାମ୍ପିୟନ ଅଷ୍ଟ୍ରେଲିଆ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶୁକ୍ରବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ଏହି ଦୁଇ ଦଳଙ୍କୁ ସ୍ୱାଗତ କରାଯାଇଛି।

ଭୁବନେଶ୍ଵରରେ ପହଞ୍ଚିବା ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳର ଖେଳାଳିମାନଙ୍କୁ ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଵାଗତ କରାଯାଇଛି। ଏହାପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ଶନିବାରଠାରୁ ଦୁଇଦଳ ଭୁବନେଶ୍ୱରରେ ନିଜର ଅଭ୍ୟାସ ଆରମ୍ଭ କରିବେ।

ଇଂଲଣ୍ଡ ଦଳ ଜାନୁଆରି ୧୩ ତାରିଖରେ ୱେଲ୍ସ ବିପକ୍ଷରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳିବ। ଭୁବନେଶ୍ୱରରେ ପ୍ରାରମ୍ଭିକ ଅଭ୍ୟାସ ପରେ ଦଳ ରାଉରକେଲା ଗସ୍ତ କରିବ।

“ଆମ ଦଳ ହକି ବିଶ୍ୱକପ ଟ୍ରଫିର ଏକ ପ୍ରମୁଖ ଦାବିଦାର। ଦଳର ସମସ୍ତେ ଖେଳାଳିଙ୍କ ଦକ୍ଷତା ଉପରେ ଆମର ବିଶ୍ୱାସ ଅଛି ଏବଂ ଆମେ ଗତ କିଛି ମାସ ମଧ୍ୟରେ ଭଲ ତାଲିମ ମଧ୍ୟ ନେଇଛୁ। ଏହି ମଧ୍ୟରେ ଆମେ ନେଦରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା ଭଳି ଲଢୁଆ ଦଳଙ୍କ ସହ ଖେଳିଛୁ, ଯାହା ଆମକୁ ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହେବାରେ ସହାୟକ ହୋଇଛି”,କହିଛନ୍ତି ଇଂଲଣ୍ଡର କ୍ୟାପଟେନ ଡେଭିଡ୍ ଆମେସ।

ବିଶ୍ଵକପରେ ଇଂଲଣ୍ଡ ଟିମ୍ ଗ୍ରୁପ୍ ‘ଡି’ ରେ ଭାରତ, ସ୍ପେନ୍ ଏବଂ ୱେଲ୍ସ ସହିତ ସ୍ଥାନ ପାଇଛି ବିଶ୍ଵକପ। ଭାରତ ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡ ସହ ପ୍ରତିଦ୍ଵନ୍ଦିତା କରିବ।୧୯୮୬ ମସିହା ବିଶ୍ଵକପରେ ଇଂଲଣ୍ଡ ରୌପ୍ୟ ପଦକ ଜିତିବା ବିଶ୍ଵକପ୍ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା

ଅନ୍ୟପଟେ ଅଷ୍ଟ୍ରେଲୀୟ ଦଳ ମଧ୍ୟ ଜାନୁଆରି ୧୩ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ବିପକ୍ଷରେ ନିଜର ବିଶ୍ଵକପ ଅଭିଯାନ ଆରମ୍ଭ କରିବ।

“ଆମର ଖେଳାଳିମାନେ ଓଡ଼ିଶାରେ ଖେଳିବା ପାଇଁ  ଉତ୍ସାହିତ ଅଛନ୍ତି ଏବଂ ଏଠାକାର ଖେଳ ବାତାବରଣ ଅନ୍ୟ ସ୍ଥାନଠାରୁ ଭିନ୍ନ।  ଆମର ଆତ୍ମବିଶ୍ୱାସ ରହିଛି ଯେ ଆମେ ଓଡିଶାରେ ହକି ବିଶ୍ୱକପ ୨୦୨୩ରେ ଟାଇଟଲ ଜିତିବାରେ ସମର୍ଥ ହେବୁ। ଆମ ଦଳ ପକ୍ଷରେ ଅନେକ ଅଭିଜ୍ଞତା ଅଛି ଏବଂ ଏହା ଆମ ପାଇଁ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ହେବ”, କହିଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଏଡି ଓକେଣ୍ଡେନ୍।

୨୦୨୩ ହକି ବିଶ୍ଵକପରେ ଟିମ୍ ଅଷ୍ଟ୍ରେଲିଆ ଗ୍ରୁପ୍ ‘ଏ’ରେ ରହିଛି। ଗ୍ରୁପ୍ ପର୍ଯ୍ୟାୟରେ ଦଳ ଫ୍ରାନ୍ସ, ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ଭଳି ଦଳଗୁଡିକ ସହ ଖେଳିବ ଅଷ୍ଟ୍ରେଲିଆ ହକି ବିଶ୍ଵକପରେ ୩ ଥର ଚାମ୍ପିୟନ ହୋଇଥିବା ଦଳ। ୧୯୮୬ ମସିହାରେ ନିଜର ପ୍ରଥମ ବିଶ୍ଵକପ ଟାଇଟଲ ଜିତିଥିଲା ଦଳ। ଏହାପରେ ୨୦୧୦ ଓ ୨୦୧୪ ମସିହାରେ ଲଗାତର ୨ ଥର ବିଶ୍ଵକପ ଜିତିଥିଲା ଅଷ୍ଟ୍ରେଲିଆ।

Tags: #HockeyIndia #IndiakaGame #StarsBecomeLegend #HWC2023 #EnglandTeam #AustraliaTeam

Comment