ଓଡ଼ିଶାଲାଇଭ୍ ବ୍ୟୁରୋ

କଂସ ମହାରାଜଙ୍କ ମୃତ୍ୟୁ ସହ ଏଗାର ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପରିସମାପ୍ତି ହୋଇଛି। ବିଶ୍ୱର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରାକୁ ଲକ୍ଷ ଲକ୍ଷ ଦର୍ଶକ ଉପଭୋଗ କରିଛନ୍ତି। ଦୁଇବର୍ଷର ପ୍ରତୀକ୍ଷା ପରେ ଅନୁଷ୍ଠିତ ହୋଇଥିବା ଧନୁଯାତ୍ରା ଲୋକମାନଙ୍କୁ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ସତ୍ୟ  ଓ ଧର୍ମ ପଥରେ ଆଗେଇ ଯିବାକୁ ବାର୍ତା ଦେଇଛି।

ଶୁକ୍ରବାର ଥିଲା ଧନୁଯାତ୍ରାର ଶେଷ ଦିବସ। ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ କଂସ ଷଡଯନ୍ତ୍ର କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ଶ୍ରୀକୃଷ୍ଣ ମଥୁରା ଭ୍ରମଣ କରିବା ସମୟରେ ଶିବ ଧନୁ ଭଙ୍ଗ କରିଥିଲେ। କଂସ ମହାରାଜଙ୍କ ସାମନ୍ତ କୃଷ୍ଣ ବଳରାମଙ୍କୁ ନେଇ ରାଜଦରବରରେ ପହଞ୍ଚିଥିଲେ। ସେଠାରେ କୃଷ୍ଣ ଓ କଂସଙ୍କ ମଧ୍ୟରେ ମଲ୍ଲ ଯୁଦ୍ଧରେ ହୋଇଥିଲା, ମଞ୍ଚରୁ ପଡ଼ି କଂସଙ୍କ ନିଧନ ହେବାର ଦୃଶ୍ୟାଭିନୟ ଦେଖିବାକୁ ମିଳିଛି। ଶେଷରେ କୃଷ୍ଣ ବଳରାମ ଉଗ୍ରସେନଙ୍କ ରାଜ୍ୟାଭିଷେକ କରିବା ଓ ଦେବକୀ ଓ ବାସୁଦେବଙ୍କୁ କରାଗାରରୁ ମୁକ୍ତ କରିଥିଲେ।

କୃଷ୍ଣଙ୍କୁ ମାରିବା ପାଇଁ କଂସଙ୍କ ବ୍ୟୁହ ରଚନା

ମହାରଜ କଂସଙ୍କୁ ଶ୍ରୀକୃଷ୍ଣଙ୍କ ଅଲୌକିକ ଶକ୍ତିର ଆଭାସ ମିଳିଥିଲା। କୃଷ୍ଣଙ୍କୁ ମାରିବାପାଇଁ ତ୍ରିସ୍ତରୀୟ ବ୍ୟୁହ ରଚନା କରିଥିଲେ କଂସ। ପ୍ରଥମେ କୁବଳୟା ହସ୍ତୀ, ତାପରେ ମଲ୍ଲ ଯୋଦ୍ଧା ଏବଂ ତୃତୀୟ ସ୍ତରରେ ମନ୍ତ୍ରୀ, ସେନାପତିଙ୍କ ସମେତ ସ୍ୱୟଂ କଂସ ଏହି ବ୍ୟୁହରେ ସାମିଲ ହୋଇଥିଲେ।

ଶ୍ରୀକୃଷ୍ଣଙ୍କ ନଗର ପରିକ୍ରମା

କୃଷ୍ଣ ବଳରାମ ମଥୁରା ନଗରୀ ଭ୍ରମଣ କରିବା ସମୟରେ ହାଟପଦା ମଞ୍ଚ ପାଖରେ ରଖା ଯାଇଥିବା ଶିବଧନୁକୁ ଭଙ୍ଗ କରିଥିଲେ। ଏହାପରେ ସେନାପତି ସାତ୍ୟକୀ ଭଗବାନ ଶ୍ରୀକୃଷ୍ଣ ଶରଣାଗତ ହୋଇଥିଲେ। ସେ କୃଷ୍ଣ ଓ ବଳରାମଙ୍କୁ ଲୋକମଣ୍ଡପ ପଡିଆସ୍ଥିତ ରାଜଦରବାକୁ ନେଇଯାଇଥିଲେ।

ରାଜଦରବାରରେ କଂସଙ୍କ ମୃତ୍ୟୁ

ଶ୍ରୀକୃଷ୍ଣ ରାଜଦରବାର ସମ୍ମୁଖରେ ପହଞ୍ଚିବା କ୍ଷଣି କୁବଳୟା ହସ୍ତୀ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲା ଶ୍ରୀକୃଷ୍ଣ କୁବଳୟା ହସ୍ତୀକୁ ଆୟତ୍ତ କରିଥିଲେ। ପରେ ମାମୁଁ କଂସ ଓ ଭଣଜା କୃଷ୍ଣବଳରାମଙ୍କ ମଧ୍ୟରେ ହୋଇଥିଲା ଯୁଦ୍ଧ ଏବଂ ମଞ୍ଚରୁ ପଡ଼ି ନିହତ ହୋଇଥିଲେ ଅତ୍ୟାଚାରୀ କଂସ।

ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ଓ ବାସୁଦେବ କରାଗାରରୁ ମୁକ୍ତ

କଂସଙ୍କ ନିଧନ ପରେ ମଥୁରା ଉତ୍ସବମୁଖର ହୋଇଥିଲା। ମଥୁରାର ଶାସନ ଭାର ଉଗ୍ରସେନଙ୍କୁ ଅର୍ପଣ କରି ତାଙ୍କର  ରାଜ୍ୟାଭିଷେକ କରିଥିଲେ କୃଷ୍ଣ ବଳରାମ। ପରେ ମଥୁରା କାରାଗାର ଯାଇ ମାତା ପିତା ଦେବକୀ ବସୁଦେବଙ୍କୁ କାରାଗାରରୁ ମୁକ୍ତ କରିଥିଲେ ଭଗବାନ ଶ୍ରୀକୃଷ୍ଣ।

ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଯାପିତ ହୋଇଛି। ଏବେ ଆଉ ଶୁଭିବ ନାହିଁ ସେହି କଂସ ମହାରାଜଙ୍କ ପ୍ରକମ୍ପିତ ଅଟ୍ଟହାସ୍ୟ। ଏବେ ଲୋକଙ୍କୁ ଅପେକ୍ଷା ରହିବ ଧନୁଯାତ୍ରାର ପରବର୍ତ୍ତୀ ସଂସ୍କରଣକୁ।

Tags: #DhanuJatra #BargarhDhanuJatra #Finished #ShreeKrishna #KansaMaharaj #Gopapur #Mathura

Comment