ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହକ ବିଶ୍ଵକପ ୨୦୨୩ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତାକାଲି କଟକ ସହରର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧାରୁ ଛୁଟି କରାଯିବ। ଏ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ ହକି ପୁରୁଷ ବିଶ୍ଵକପ ୨୦୨୩। ଓଡ଼ିଶାରେ ଦ୍ଵିତୀୟ ଥର ପାଇଁ ହକି ବିଶ୍ଵକପର ଆୟୋଜନ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି। ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ରହିଥିବାରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଟ୍ରାଫିକର ସୁପରିଚାଳନା ସହ ଦର୍ଶକମାନେ କିଭଳି ସୁରକ୍ଷିତ ଭାବେ ଉଦଘାଟନୀ ଉତ୍ସବକୁ ଉପଭୋଗ କରିବେ ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଷ୍ଟାଡିୟମକୁ ଯାଇ ହକି ବିଶ୍ଵକପ ଉଦଘାନୀ ଉତ୍ସବ ଦେଖିପାରୁ ନଥିବା ଦର୍ଶକଙ୍କ ଲାଗି କଟକର ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି।

ଉଦଘାଟନୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୨୦୦ ପୋଲିସ ଅଧିକାରୀ। ହକି ବଶ୍ଵକପର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଆସୁଥିବା କଳାକାରଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଟ୍ରାଫିକ୍ ପରିଚାଳନା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି।

ବାଲିଯାତ୍ରା ତଳ ପଡ଼ିଆ ଏବଂ ବିଭିନ୍ନ ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଉଦଘାଟନୀ ଉତ୍ସବ ଦିନ ବାରବାଟୀ ଷ୍ଟାଡିୟମ ଭିତରକୁ ୨ଟା ୩୦ରୁ ପ୍ରବେଶ ପାଇଁ ଅନୁମତି ରହିଛି। ଦିନ ୩ଟାରୁ ଆରମ୍ଭ ହେବ ଉଦଘାଟନୀ ଉତ୍ସବ। ଷ୍ଟାଡିୟମ ଭିତରକୁ ଖାଦ୍ୟ ଏବଂ ପାଣି ବୋତଲ ନେବାକୁ ଦର୍ଶକଙ୍କୁ ବାରଣ କରାଯାଇଛି। ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Tags: #HockeyIndia #HockeyWorldCupInauguralCeremony #HalfDaySchoolForInauguralCeremony #Cuttack #BarbatiStadium

Comment