ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଆଜିକାଲି ଚଳଚ୍ଚିତ୍ରର କାହାଣୀରେ ଭିନ୍ନତା ଦେଖିବାକୁ ମିଳୁଛି। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ନିକଟରେ ସେମିତି କିଛି ଚଳଚ୍ଚିତ୍ରର ଉଦାହରଣ ଦେଖିବାକୁ ମିଳିଛି। ଆଗାମୀ ଦିନରେ ପୋଷଣ ସମସ୍ୟା, ନିରକ୍ଷରତା ଆଦି ବିଭିନ୍ନ ସମସ୍ୟା ପାଇଁ ସରକାର ନେଉଥିବା ପଦକ୍ଷେପକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯିବା ଦରକାର’’, କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ।

ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ପକ୍ଷରୁ ଆରମ୍ଭ ହୋଇଛି ଚଳଚ୍ଚିତ୍ର ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’। ଏଥିରେ ଅତିଥିଭାବେ ଯୋଗ ଦେଇଥିଲେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ। ସେ କହିଥଲେ ଯେ, ବର୍ତ୍ତମାନ ଚଳଚ୍ଚିତ୍ରରେ କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। ବିଭିନ୍ନ ପ୍ରକାରର କାହାଣୀ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ମଧ୍ୟ ଓଡ଼ିଆ ପ୍ରଯୋଜକ, ନିର୍ଦ୍ଦେଶକମାନେ ଭଲ କାହାଣୀ ଥିବା ବିଷୟବସ୍ତୁ ପ୍ରସ୍ତୁତ କରିବାକୁ ସେ ଆଶାବ୍ୟକ୍ତ କରିଛନ୍ତି।

ଅନ୍ୟତମ ଅତିଥିଭାବେ ଯୋଗଦେଇ ଓଲିଉଡ୍‌ ଅଭିନେତା ତଥା ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସନାୟକ କହିଛନ୍ତି, ‘‘ବିନା ପ୍ରଶଂସକରେ ଜଣେ କେବେ ହେଲେ ଷ୍ଟାର ହୋଇପାରେନି। ପ୍ରଶଂସକମାନେ ଦେଉଥିବା ଭଲପାଇବା, ସ୍ନେହ, ପ୍ରେମ ସବୁଠୁ ଭିନ୍ନ। ଏହାର ଅନୁଭବ ଖୁବ୍‍ ଅନନ୍ୟ। ତେବେ ଷ୍ଟାରଡମ୍‍ ସ୍ଥାୟୀ ନୁହେଁ। ସମସ୍ତଙ୍କ ପାଖରେ, ସବୁବେଳେ ଷ୍ଟାରଡମ୍‍ ରହେନି। ଯେଉଁ ଦର୍ଶକ ବା ପ୍ରଶଂସକମାନେ ଜଣେ ଅଭିନେତା ବା ଅଭିନେତ୍ରୀଙ୍କୁ ଷ୍ଟାରଡମ୍‍ ଭାବେ ବିବେଚିତ କରନ୍ତି, ସେଇମାନେ ହିଁ ସେମାନଙ୍କୁ ସମୟକ୍ରମେ ପସନ୍ଦ କରିନଥା’ନ୍ତି।’’

ସେହିପରି ଅଭିନେତା ତଥା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ଅଭିନେତାଟିଏ ଷ୍ଟାର ପାଲଟିଯିବା ପରେ ତାକୁ ତା’ ମୂଲ୍ୟ ଦେବାକୁ ପଡ଼ିଥାଏ। ଯେଉଁ ପ୍ରଶଂସକମାନେ ଷ୍ଟାର ବନାନ୍ତି, ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସେମାନେ ବାଧ୍ୟ କରନ୍ତି। କେବେ କେବେ ଫଟୋ ଉଠାଇବାବେଳେ ବିଚିତ୍ର ପ୍ରକାର କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ।

ସେ ଆହୁରି କହିଛନ୍ତି, ଆଇଆଇଏମ୍‍ସି ଯେଉଁଭଳି ଭାବେ ଚଳଚ୍ଚିତ୍ରକୁ ନେଇ ଏକ ଉତ୍ତମ ମାନର କାର୍ଯ୍ୟକ୍ରମ ଆୟୋଜନ କରିଛି, ତାହା ନିଶ୍ଚିତଭାବେ ପ୍ରଶଂସନୀୟ। ଆଗାମୀ ଦିନରେ ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଏହିପରି ବିରଳ ପୋଷ୍ଟର ପ୍ରଦର୍ଶନୀ ଓ ପ୍ରଶଂସକଙ୍କ ପାଇଁ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାର ଯୋଜନା  କରାଯାଉଛି।

ଆସନ୍ତା ବର୍ଷ ଆଇଆଇଏମ୍‍ସି ସହ ମିଶି ନିଗମ ପକ୍ଷରୁ ଚଳଚ୍ଚିତ୍ର ଉପରେ ଏକ ଆଲୋଚନାଚକ୍ର ଆୟୋଜନ ମଧ୍ୟ କରାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ।

ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡକ୍ଟର ପିୟୁଷ ରାୟ କହିଛନ୍ତି, ‘‘ଆଜି ଆମେ ଅଡିଓ ଭିଜୁଆଲ ଯୁଗରେ ଅଛୁ। ଏହି ଭିଜୁଆଲ ଯୁଗରେ ଚଳଚ୍ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ଅଭିନୟ, ଚିତ୍ରକଳା, ସଙ୍ଗୀତ ଆଦି ଅନେକ କଳାତ୍ମକ ବିଭବ ପ୍ରସ୍ଫୁଟିତ ହୋଇପାରୁଛି। ସେହିପରି ହଜିଯାଉଥିବା ସଂସ୍କୃତି, ପରମ୍ପରା, ଦୃଶ୍ୟ ଓ କାହାଣୀକୁ ମଧ୍ୟ ସଂରକ୍ଷିତ କରି ରଖିପାରୁଛି ଚଳଚ୍ଚିତ୍ର। ଏଣୁ ଚଳଚ୍ଚିତ୍ର ହେଉଛି ଏକାଧାରରେ କଳା, ସଂସ୍କୃତି, ରାଜନୀତି ଓ ଦର୍ଶନ।’’

ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, ‘‘ଷ୍ଟାରଡମ୍‍ର ଅର୍ଥ ବଦଳିବାରେ ଲାଗିଛି। ପୂର୍ବରୁ ଯାହା ଥିଲା, ଏବେ ସେୟା ନାହିଁ। ଆଗକୁ ମଧ୍ୟ ତାହା ଅଲଗା ହୋଇପାରେ। ଏଣୁ ଷ୍ଟାରଡମ୍‍କୁ ନେଇ ପୁନଃଚିନ୍ତନ କରିବାର ଅବସର ଆସିଛି। ଏହି ସମ୍ମିଳନୀ ଓ କର୍ମଶାଳାରେ ଷ୍ଟାରଡମ୍‍ର ବିଭିନ୍ନ ଦିଗ ଉପରେ ହେବାକୁ ଥିବା ଆଲୋଚନା ବେଶ୍‍ କିଛି ପ୍ରଶ୍ନର ଉତ୍ତର ରଖିବାରେ ସମର୍ଥ ହୋଇପାରିବ।’’

ଆଇଆଇଏମ୍‍ସି, ଢେଙ୍କାନାଳର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ଉଦ୍‍ଘାଟନୀ ଅଧିବେଶନ। ପରେ ଅତିଥିମାନେ ନିଆରା ଚଳଚ୍ଚିତ୍ର ପୋଷ୍ଟର, ଚିଠି ଓ କିଛି ଚଳଚ୍ଚିତ୍ର ପତ୍ରିକାକୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଶିକ୍ଷାବିତ ଓ ଗବେଷକ ଯୋଗ ଦେଇଥିଲେ।

#FilmiChakkar #IIMC #OdiaFilm #Stardom #Actor

Comment