ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଡଟ୍ ଫେଷ୍ଟ। ଡଟ୍ ଫେଷ୍ଟରେ ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ ଏବଂ ଝୁମୁଛନ୍ତି ଦର୍ଶକ।

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ ଉତ୍ସବକୁ ରବିବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାନୁଆରି ୧୫ ତାରିଖରୁ ଆରମ୍ଭ ହୋଇଥିବା ଡଟ୍ ଫେଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ଉତ୍ସବରେ ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱା ନିଜ ସ୍ଵରର ଯାଦୁରେ ଦର୍ଶକଙ୍କୁ ଝୁମାଇଛନ୍ତି। କେବଳ ସେତିକି ନୁହେଁ କୋରିଆନ ଡ୍ୟାନ୍ସ ଗ୍ରୁପ ‘ବ୍ଲାକ ସ୍ଵାନ’ କଳାକାର ରଙ୍ଗବତୀ ଗୀତ ଗାଇ ଦର୍ଶକଙ୍କୁ ଚମକାଇ ଦେଇଥିଲେ। ଶେଷରେ ଜଲୱା ଦେଖାଇଥିଲେ ଲିଉଡ ବ୍ୟୁଟି ଦିଶା ପାଟନୀ।

‘ହାଏ ରେ ତେରା ନଖରା…’ ଗୀତରେ ଦର୍ଶକଙ୍କୁ ଝୁମାଇଲେ ରନ୍ଧାୱା

ଡଟ ଫେଷ୍ଟକୁ ନେଇ ଉତ୍ସାହିତ ରହିଥିବା ଦର୍ଶକଙ୍କୁ ପ୍ରଥମ ଦିନରେ ମିଳିଥିଲା ମନୋରଞ୍ଜନର ଭରପୁର ଖୋରାକ। ଲୋକପ୍ରିୟ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ‘ହାଏ ରେ ତେରା ନଖରା…’ ଗୀତରୁ ମଞ୍ଚ ଦୁଲୁକାଇ ଥିଲେ ରନ୍ଧାୱା। ‘ବନଜା ତୁ ମେରି ରାନୀ’, ‘ନାଚ୍ ମେରି ରାନୀ’, ‘ଜିନହେ ମେରା ଦିଲ୍‌ ଲୁଟେୟା’ ଭଳି ଅନେକ ଲୋକ ପ୍ରିୟ ଗୀତରେ ମନୋରଞ୍ଜନ କରିବା ସହ ଘଣ୍ଟାଏରୁ ଅଧିକ ସମୟ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

ବ୍ଲାକ ସ୍ଵାନର ‘ରଙ୍ଗବତୀ’ ଗୀତରେ କମ୍ପିଲା ମଇଦାନ

ଡଟ ଫେଷ୍ଟର ଉଦଘାଟନୀ ଉତ୍ସବରେ ଦର୍ଶକଙ୍କୁ ଚକିତ କରିଥିଲା ବିଦେଶୀ କଣ୍ଠରେ ‘ରଙ୍ଗବତୀ’ ଗୀତ। ଗୁରୁ ରନ୍ଧାୱାଙ୍କ ପରେ ପରେ ମଞ୍ଚ ଦୁଲୁକାଇଥିଲେ କୋରିଆନ୍‌ ଡାନ୍ସ ଗ୍ରୁପ୍‌ ‘ବ୍ଲାକ୍ ସ୍ଵନ୍‌’। ଆକର୍ଷଣୀୟ ନୃତ୍ୟ ସାଙ୍ଗକୁ ୫ଟି ଇଂରାଜୀ ଗୀତରେ ଦର୍ଶକଙ୍କ ମନମୋହି ଥିଲେ ଏହି ଗ୍ରୁପ।  ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗାଇ ଦର୍ଶକଙ୍କ ଭରପୁର କରତାଳି ସାଉଣ୍ଟିଥିଲେ ‘ବ୍ଲାକ୍ ସ୍ଵନ୍‌’ ଗ୍ରୁପ।

ମଞ୍ଚରେ ଦିଶାଙ୍କ ଜଲଓ୍ଵା

ଶେଷରେ ମଞ୍ଚରେ ଦେଖିବାକୁ ମିଳିଥିଲା ବଲିଉଡ ବ୍ୟୁଟି ଦିଶା ପାଟନୀଙ୍କ ଜଲଓ୍ଵା। ଦିଶାଙ୍କ ନୃତ୍ୟର ତାଳେ ତାଳେ ଦର୍ଶକ ମଧ୍ୟ ପାଦ ଉଠାଇଥିଲେ। ‘ଉ ଅଣ୍ଟା ଓ୍ଵାମା..ଗୀତରେ ଦିଶାଙ୍କ ନୃତ୍ୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

ଭୁନେଶ୍ଵରରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହୋଇଛି ଡଟ୍ ଫେଷ୍ଟ। ଡଟ୍ ଫେଷ୍ଟକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଗୋଟିଏ ପଟେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ ଚାଲିଥିବ ବେଳେ ଡଟ ଫେଷ୍ଟ ଲୋକଙ୍କୁ ସନ୍ଧ୍ୟାରେ ମନୋରଞ୍ଜନର ଖୋରାକ ଯୋଗାଉଛି। ଓଡ଼ିଶା ତଥା ଦେଶ ବିଦେଶର ବିଭିନ୍ନ ସୁଆଦିଆ ଖାଦ୍ୟର ଷ୍ଟଲ ସାଙ୍ଗକୁ ସେଲିବ୍ରେଟିମାନେ ସନ୍ଧ୍ୟାକୁ ରଙ୍ଗାରଙ୍ଗ କରିବାର କାର୍ଯ୍ୟକ୍ରମ ରହିଛି।

Tags: #DOTFest #Bhubaneswar #HockeyWorldCup #Entertainment #FoodFest

Comment