ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): “ଗୋଟିଏ ଚଳଚ୍ଚିତ୍ର ସଫଳ ହେବା ପଛରେ ସମସ୍ତଙ୍କର ଅବଦାନ ରହିଥାଏ। ଅନେକ କ୍ଷେତ୍ରରେ ଅଭିନେତ୍ରୀମାନେ ଅଭିନେତାଙ୍କ ଭଳି ପରିଶ୍ରମ କରୁଥିଲେ ମଧ୍ୟ ଶ୍ରେୟ ମିଳେ ଅଭିନେତାଙ୍କୁ। ଅନେକ କ୍ଷେତ୍ରରେ ଅଭିନେତ୍ରୀଙ୍କ ଅବଦାନକୁ ମଧ୍ୟ ସମସ୍ତେ ଭୁଲିଯାଆନ୍ତି। ଏ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। କାରଣ ଗୋଟିଏ ଚଳଚ୍ଚିତ୍ର ସଫଳ ହେବା ପଛରେ ଅଭିନେତ୍ରୀଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥାଏ”, ଆଇଆଇଏମସି ଢେଙ୍କାନାଳରେ ଚାଲିଥିବା ‘ଫିଲ୍ମି ଚକ୍କର-୪’ର ଦ୍ୱିତୀୟ ଦିନରେ କହିଛନ୍ତି ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳରେ ଚାଲିଥିବା ଚଳଚ୍ଚିତ୍ରଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’ର ଦ୍ୱିତୀୟ ଦିନରେ ବ୍ରେକ୍‍ଥ୍ରୁ ଇଣ୍ଡିଆ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ‘ଜେଣ୍ଡର ଓ ଷ୍ଟାରଡମ୍‍’ ଉପରେ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଅଭିନେତ୍ରୀ ସୁଦୀପ୍ତା କହିଛନ୍ତି, ଚଳଚ୍ଚିତ୍ର ଜଗତରେ ମଧ୍ୟ ପୁରୁଷ ଓ ନାରୀଙ୍କ ମଧ୍ୟରେ ଅନେକ ଭେଦଭାବ ଦେଖିବାକୁ ମିଳୁଛି। ଯଦି କୌଣସି ନାରୀକୈନ୍ଦ୍ରୀକ ଚଳଚ୍ଚିତ୍ର ନିର୍ମାଣ ହେଉଛି, ସେଥିରେ ଖ୍ୟାତନାମା ବା ବରିଷ୍ଠ ଅଭିନେତା ଅଭିନୟ କରିବାକୁ ଅନେକ ସମୟରେ ମନା କରିଦେଉଥିବା ଦେଖିବାକୁ ମିଳୁଛି। ଏହିଭଳି ଭେଦଭାବ ଯୋଗୁଁ ଅନେକ ସମୟରେ ଭଲ କାହାଣୀ ସାମ୍ନାକୁ ଆସିପାରୁନି ବୋଲି ସେ କହୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମନେ ପରିଶ୍ରମ କରୁଥିଲେ ମଧ୍ୟ ଅଭିନେତାଙ୍କଠାରୁ ଅଭିନେତ୍ରୀମାନେ କମ୍ ପାରିଶ୍ରମିକ ପାଉଛନ୍ତି। ଏହି ମାନସିକତାର ପରିବର୍ତ୍ତନ ଆସିଲେ ଅନେକ ଭଲ ଭଲ ଚଳଚ୍ଚିତ୍ର ଆସିପାରିବ ବୋଲି କହିଛନ୍ତି ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, “ଓଡ଼ିଆ ଚଳଚ୍ଚିତ୍ର ଲୋକପ୍ରିୟ ହେବାରେ ମହାଶ୍ୱେତା ରାୟ, ଝରଣା ଦାସ, ଅପରାଜିତା ମହାନ୍ତିଙ୍କ ପରି ଅଭିନେତ୍ରୀଙ୍କର ବହୁତ ଅବଦାନ ରହିଛି। ଅନେକ ସମୟରେ ନାରୀ ଚରିତ୍ରକୁ ଗୌଣ ଭାବେ ଦର୍ଶାଯାଇଛି। ଯାହାଦ୍ୱାରା ଅଭିନେତ୍ରୀମାନଙ୍କ ପ୍ରକୃତ ଅବଦାନକୁ ନେଇ ଏତେ ଆଲୋଚନା ହୋଇପାରିନି। ଏଭଳି ମାନସିକତାଠାରୁ ଦୂରେଇ ରହିବା ଆବଶ୍ୟକ।”

ବ୍ରେକ୍‍ଥ୍ରୁ ଇଣ୍ଡିଆର ଗଣମାଧ୍ୟମ ପରିଚାଳକ ଇପ୍ତି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସଂସ୍ଥାର ରାଜ୍ୟ ମୁଖ୍ୟ ରୁକ୍ମଣୀ ପଣ୍ଡା ଏବଂ ବରିଷ୍ଠ ପରିଚାଳିକା ପ୍ରଜ୍ଞା ପାରମିତା ବସ୍ତିଆ ଯୋଗଦେଇଥିଲେ। ଏହାସହ ପୂର୍ବାହ୍ଣରେ ଅନୁଷ୍ଠିତ ଆଉ ଏକ ଅଧିବେଶନରେ ଯୋଗଦେଇ କୋଲକାତାସ୍ଥିତ ଜାଭିୟର କଲେଜ୍‍ର ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଉତ୍ସବ ଚାଟାର୍ଜୀ ଷ୍ଟାରଡମ୍‍ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରାକ୍‍-ସ୍ୱାଧୀନତା ସମୟଠାରୁ ଆରମ୍ଭ କରି ସ୍ୱାଧୀନତା ପରବର୍ତ୍ତୀ ସମୟରେ କିପରି ଅଭିନେତାମାନେ ଷ୍ଟାର୍‍ ଭାବେ ପରିଗଣିତ ହୋଇଛନ୍ତି ବିଭିନ୍ନ ଉଦାହରଣ ଦେଇ ସେ ବୁଝାଇଛନ୍ତି। ରାଜେଶ ଖାନ୍ନା, ଅମିତାଭ ବଚ୍ଚନ, ରାଜ କପୁର, ଦୀପିକା ପାଦୁନ୍‍କୋରଙ୍କ କଥା ସେ ଉଲ୍ଲେଖ କରିଛନ୍ତି।

Tags: #FilmiChakkar #IIMCDhenkanal #OdiaFilm #Stardom #ActorActress

LEAVE A REPLY

Please enter your comment!
Please enter your name here