ଓଡ଼ିଶାଲାଇଭ୍ ବ୍ୟୁରୋ

ଓସ୍କାର ଦୌଡ଼ରେ ସାମିଲ ହେଲା ‘ଆରଆରଆର’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ। ମଙ୍ଗଳବାର ୯୫ ତମ ଓସ୍କାର ପୁରସ୍କାର ପାଇଁ ବେଷ୍ଟ ଅରିଜିନାଲ ସଙ୍ଗ ବର୍ଗରେ ମନୋନୀତ ହୋଇଛି ଏହି ପ୍ରସିଦ୍ଧ ଗୀତ। ‘ନାଟୁ ନାଟୁ’ ମନୋନୀତ ହୋଇ ଓସ୍କାର ଇତିହାସରେ ପ୍ରଥମ ଭାରତୀୟ ଗୀତ ହୋଇଛି। ଏହାଛଡ଼ା ଆଉ ୪ଟି ଗୀତକୁ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ଗୀତକୁ ଗୋଲଡେନ ଗ୍ଲୋବ ଆୱାର୍ଡ ମିଳିଛି।

‘ନାଟୁ ନାଟୁ’ ଗୀତ ଓସ୍କାର ପାଇଁ ମନୋନୀତ ହେବ ପରେ ଏସ ଏସ ରାଜାମୌଲି ଏବଂ ଫିଲ୍ମର ସବୁ କଳାକାର ଟ୍ଵିଟ କରି ଖୁସି ବ୍ୟକ୍ତ କରିଛନ୍ତି। ବଲିଉଡ ଓ ଅନ୍ୟ ଫିଲ୍ମ ଜଗତର ଅଭିନେତା ଅଭିନେତ୍ରୀ ‘ଆରଆରଆର’ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

‘ନାଟୁ ନାଟୁ’ ଗୀତ ଫିଲ୍ମ ରିଲିଜ ହେବ ପୂର୍ବରୁ ଚହଳ ସୃଷ୍ଟି କରିଥିଲା। ଏହାକୁ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ଦର୍ଶକ ପସନ୍ଦ କରିଛନ୍ତି। ଚନ୍ଦ୍ରବୋଷ ଏହି ଗୀତକୁ ଲେଖିଥିବା ବେଳେ ଏମ ଏମ କିରାବନି ଏହାର ମ୍ୟୁଜିକ୍ ଦେଇଥିଲେ। ‘ନାଟୁ ନାଟୁ’ ଗୀତର ହିନ୍ଦୀ ଭର୍ସନ ‘ନାଚୋ ନାଚୋ’କୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

ଏସ ଏସ ରାଜାମୌଲିଙ୍କ ଦ୍ଵାରା ନିର୍ଦ୍ଦେଶିତ ‘ଆରଆରଆର’ ଫିଲ୍ମ ୨୦୨୨ ମସିହା ମାର୍ଚ୍ଚ ମାସରେ ରିଲିଜ ହୋଇଥିଲା। ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣ, ଜୁନିୟର ଏନଟିଆର ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଏହାଛଡା ଅଜୟ ଦେବଗନ, ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମରେ ଅଭିନୟ  କରିଥିଲେ। ଫିଲ୍ମର କାହାଣୀ ସହିତ ଏଥିରେ ପ୍ରଦର୍ଶିତ ଭିଏଫଏକ୍ସ ମଧ୍ୟ ଲୋକମାନଙ୍କୁ ପସନ୍ଦ ଆସିଥିଲା। ଏହି ଚଳଚିତ୍ର ସମଗ୍ର ବିଶ୍ବରେ ୧୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା

ଏବେ ଅପେକ୍ଷା ରହିବ ମାର୍ଚ୍ଚ ୧୨ ତାରିଖକୁ ଯେବେ ଓସ୍କାର ପୁରସ୍କାର ଘୋଷଣା କରାଯିବ। ଏହି ବ୍ଲକବଷ୍ଟର୍ ଗୀତକୁ ବିଜେତା ଭାବେ ଦେଖିବାକୁ ଦେଶବାସୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

Tags: #RRR #NatuNatu #Nominated #95thOscar #BestOriginalSong #1stIndianSong #March12

Comment