ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କନ୍ଧମାଳ ମହୋତ୍ସବ। ପ୍ରତି ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଉଛି ବିଭିନ୍ନ କାର୍ଯ୍ୟକ୍ରମ। ନାଚ, ଗୀତ ଏବଂ ନାକଟ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି। ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ବିଶେଷ ଷ୍ଟଲ୍ କରାଯାଇ ସାଧାରଣ ଜନତାଙ୍କୁ ଆଇନ ସମ୍ପର୍କରେ ସଚେତନତା ପାଇଁ ପ୍ରୟାସ କରାଯାଉଛି।

ଜିଲ୍ଲାସ୍ତରୀୟ କନ୍ଧମାଳ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା ଧର୍ମୀ ନାଟକ ‘ଆମେ କଣ୍ଢେଇ ନୋହୁଁ’ ପରିବେଷିତ ହୋଇଥିଲା। ଶିଶୁ ଶ୍ରମିକ, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ଏବଂ ଅନ୍ଧବିଶ୍ଵାସକୁ ନେଇ ଆଧାରିତ ଏହି ନାଟକର ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ଆଇନଜୀବୀ ବିଜୟ ପଟ୍ଟନାୟକ। ନାଟକରେ ବୈଦ୍ୟନାଥ ଖଟୁଆ, ଅଶୋକ ପ୍ରଧାନ, ପ୍ରଭାସ ନାୟକ, ସୌମ୍ୟ ମିଶ୍ର, ଚନ୍ଦନ ନାୟକ, ଅପର୍ଣ୍ଣା ବେହେରା, ସସ୍ମିତା ପ୍ରଧାନ, ପ୍ରଜ୍ଞା ମହାରଣା, ସୁପ୍ରଭା ନାୟକ, ରାଜଲକ୍ଷ୍ମୀ ମହାକୁଡ଼ ଏବଂ ଅମିତା ପ୍ରଧାନ ପ୍ରମୁଖଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ଜାନୁଆରି ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମୋହତ୍ସବ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ ମହାମାରୀ ପାଇଁ ଦୁଇବର୍ଷ ହେଲା କନ୍ଧମାଳ ମହୋତ୍ସବ ହୋଇପାରିନଥିଲା। ଚଳିତ ବର୍ଷ ମହୋତ୍ସବର ଆୟୋଜନ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି।

Tags: #Mahotsav #KandhamalDistrictLevelMahotsav #Entertainment #CulturalProgram

Comment