ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ମଧ୍ୟାହ୍ଣରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସ୍ଵର୍ଗତଙ୍କ ଶେଷ ଦର୍ଶନ ଲାଗି ମରଶରୀରକୁ କଟକସ୍ଥିତ ବାସଭବନରେ ରଖାଯାଇଛି।

ହୁସେନ ରବି ଗାନ୍ଧୀ ୨୦୦୮ରୁ ୨୦୧୦ ମସିହା ଯାଏଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ଵ ନିର୍ବାହ କରିଥିଲେ। ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର ଜିଲ୍ଲାର ହାଲଡ଼ିଗଡ଼ିଆ ଗାଁର ମୁଫତିବାଗରେ ତାଙ୍କର ଜନ୍ମ ହୋଇଥିଲା। ତାରାକୋଟର ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ ହୁସେନ ରବି ଗାନ୍ଧୀ। ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠ ପୁତ୍ର ତଥା ତାରାକୋଟ ରାଜ୍ୟର ଶେଷ ଶାସକ ଦାବିରୁଦ୍ଦିନ ମହମ୍ମଦ ଖାନ ବାହାଦୂରଙ୍କ ନାତି ହେଉଛନ୍ତି ହୁସେନ ରବି ଗାନ୍ଧୀ।

ହୁସେନ ରବିଗାନ୍ଧୀ ଅନେକ ପୁସ୍ତକ ରଚନା କରିଛନ୍ତି। ସେଥିମଧ୍ୟରୁ ମୁକ୍ତ ପୂର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ ଏବଂ ଆଜିର ଗଳ୍ପ ଓ ଗଳ୍ପ ସମ୍ଭାର ଆଦି ପାଠକୀୟ ଆଦ୍ରୁତି ଲାଭ କରିଛି। ସେ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦନା ମଧ୍ୟ କରିଥିଲେ।

ଛାତ୍ର ଜୀବନରୁ ହୁସେନ ରବି ଗାନ୍ଧୀ ରାଜନୀତିରେ ସକ୍ରିୟ ଥିଲେ। ସମ୍ବଲପୁରର ଗଙ୍ଗାଧର ମହାବିଦ୍ୟାଳୟରେ ପାଠ ପଢ଼ିବା ବେଳେ କଲେଜ ନିର୍ବାଚନରେ ସଭାପତି ନିର୍ବାଚିତ ହୋଇଥିଲେ। ଏହା ପରେ ସେ ଓଡ଼ିଶା ରାଜନୀତିରେ ପାଦ ଦେଇଥିଲେ। ୧୯୮୫ ମସିହାରେ କୋରେଇ ନିର୍ବାଚନ ମଣ୍ଡଳିରୁ ବିଧାନସଭା ଆସନ ପାଇଁ ଲଢ଼ିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ପରେ ସେ ୧୯୮୮ ମସିହାରେ ଜନତା ଦଳରେ ସାମିଲ ହୋଇଥିଲେ। ଦଳର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ୧୯୯୮ରେ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନଠାରୁ ୨୦୦୫ ମସିହା ପର୍ଯ୍ୟନ୍ତ ହୁସେନ ରବି ଗାନ୍ଧୀ ବିଜେଡିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।

ହୁସେନ ରବି ଗାନ୍ଧୀଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Tags: #HussainRabiGandhi #PassesAway #Death #Politician #Writer

Comment