ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲେ ନବ ଦାସ। ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ବିଶାଳ ଦାସ ମୁଖାଗ୍ନୀ ଦେଇଥିଲେ। ଶ୍ମଶାନ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ସ୍ଵର୍ଗତ ନବ କିଶୋର ଦାସଙ୍କ ଶେଷ ଦର୍ଶନ କରିବାକୁ ରୁଣ୍ଡ ହୋଇଥିଲେ ହଜାର ହଜାର ଲୋକ। ବହୁ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ବିଶେଷ, ବନ୍ଧୁବାନ୍ଧବ, ସମର୍ଥକ ଏବଂ ପରିବାର ଲୋକଙ୍କ ଆଖିରେ ରହିଥିଲା ଲୁହ।

ରବିବାର ଦିନ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।

ସୋମବାର ଦିନ ଝାରସୁଗୁଡ଼ାରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ମରଶରୀରକୁ ସରବାହାଲ ବାସଭବନକୁ ନିଆଯାଇଥିଲା। ସ୍ଵର୍ଗତଙ୍କ ଶେଷ ଦର୍ଶନ କରିବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଜମିଥିଲା। ନବ ଦାସ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ।

ନବ ଦାସଙ୍କୁ ବାସଭବନରେ ଶେଷ ଦର୍ଶନ କରିବା ପରେ ସେଠାରୁ ତାଙ୍କ ମର ଶରୀରକୁ ମନମୋହନ ଏମ୍ ଇ ସ୍କୁଲ ପଡ଼ିଆଠାରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଖେରୁଆଲ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Tags: #Politics #OdishaPolitics #HealthMinisterNabaKishorDash #Death #Murder #Cremation

Comment