ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୩-୨୪ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ରହିବ ଦେଶର ବିକାଶ ହାର।
  • ବିଶ୍ୱର ଅଧିକାଂଶ ମୁଦ୍ରା ତୁଳନାରେ ଭଲ ପ୍ରଦର୍ଶନ କରିଛି ଭାରତୀୟ ମୁଦ୍ରା।

ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପ୍ରକାଶ ପାଇଛି ଭାରତର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ। ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ଭାରତର ବିକାଶ ହାର ୨୦୨୨-୨୩ ଆର୍ଥିକ ବର୍ଷରେ ୭ ପ୍ରତିଶତ ରହିବ ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହା ୬.୫ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି।

ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ଅନ୍ୟ ଦେଶ ତୁଳନାରେ ଦ୍ରୁତ ଗତିରେ ହୋଇଛି। ଘରୋଇ ଚାହିଦା ଏବଂ ପୁଞ୍ଜି ବିନିଯୋଗରେ ବୃଦ୍ଧି ହେତୁ ଏହା ସମ୍ଭବ ହୋଇପାରିଛି। ତେବେ ବର୍ତ୍ତମାନ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଦେଶର ଆର୍ଥିକ ନିଅଣ୍ଟ ବ୍ୟାପକ ହୋଇପାରେ ବୋଲି ସର୍ଭେରେ କୁହାଯାଇଛି। ଏହା ଦେଶର ଅର୍ଥବ୍ୟବସ୍ଥା ଉପରେ ଚାପ ପକାଇପାରେ।

ସର୍ଭେ ଅନୁସାରେ ଭାରତର ବେକାରୀ ହାର ୨୦୧୯ ମସିହା ଜୁଲାଇ-ସେପ୍ଟେମ୍ବରରେ ୮.୩ ପ୍ରତିଶତ ତୁଳନାରେ ୨୦୨୨ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ୭.୨ ପ୍ରତିଶତକୁ ହ୍ରାସ ପାଇଛି। ୨୦୨୨ ମସିହା ଜାନୁଆରି-ନଭେମ୍ବର ମଧ୍ୟରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି ହାରାହାରି ୩୦.୬ ପ୍ରତିଶତରୁ ଅଧିକ ରହିଛି।

ଆର୍ଥିକ ସର୍ଭେରେ ଭାରତର ମୁଦ୍ରାସ୍ଫୀତିକୁ ନେଇ ଉଦେବେଗ ପ୍ରକାଶ କରାଯାଇଛି। ଦେଶର ମୁଦ୍ରାସ୍ଫୀତିକୁ କମ ରଖିବା କଷ୍ଟସାଧ୍ୟ ହେଉଛି। ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ପରେ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ସ୍ଵଭାବିକ ଅବସ୍ଥାକୁ ଆସିଛି। ବିଶ୍ୱର ଅଧିକାଂଶ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଭଲ ପ୍ରଦର୍ଶନ କରିଛି।

ବର୍ତ୍ତମାନର ଦେଶର ଆର୍ଥିକ ନିଅଣ୍ଟକୁ ସାମନା କରିବା ପାଇଁ ଭାରତରେ ପର୍ଯ୍ୟାପ୍ତ ବୈଦେଶିକ ମୁଦ୍ରା ସଂରକ୍ଷଣ ଅଛି। ଏହା ମଧ୍ୟ ଦେଶର ମୁଦ୍ରାରେ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଦିଗରେ ସହାୟ ହେଉଛି। ୨୦୨୩ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ କେନ୍ଦ୍ର ସରକାରଙ୍କ ପୁଞ୍ଜି ବ୍ୟୟ ବା କ୍ୟାପେକ୍ସ ପୂର୍ବ ବର୍ଷ ତୁଳନାରେ ୬୩.୪ ପ୍ରତିଶତ ବୃଦ୍ଧି ପାଇଛି।

ବୁଧବାର ସାଧାରଣ ବଜେଟ୍ ଆସିବା ଆଗରୁ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨ ମସିହା ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ଦେଶର ଅର୍ଥବ୍ୟବସ୍ଥା ଉପରେ ଆଲୋକପାତ କରିବା ସହ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଦେଶର ଅର୍ଥବ୍ୟବସ୍ଥା କିପରି ରହିବ ତାହାର ପୂର୍ବାନୁମାନ କରିବାରେ ସହାୟତା କରିବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ଅର୍ଥନୈତିକ ବିଭାଗ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ଵରଣଙ୍କ ତତ୍ତ୍ଵାବଧାନରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

Tags: #EconomicSurveyReport2022-23 #EconomicStateofIndia #GDPgrowth #MinistryofFinance #NirmalaSitharaman #V.AnanthaNageswaran #DepartmentofEconomicAffairs #GovtOfIndia

Comment