ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ଘନେଇବାରେ ଲାଗିଛି। ମନ୍ତ୍ରୀଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ନବ କିଶୋର ଦାସଙ୍କୁ ଯେଉଁଭଳି ଗୁଳିକରି ହତ୍ୟା କରାଗଲା ତାକୁନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି। ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ଗୁଳି ମାରିବା ଘଟଣାକୁ ନେଇ ଏବେ ରାଜ୍ୟ ରଜନୀତି ପଡ଼ୁଛି ଉଠୁଛି। ଜଣେ ପୋଲିସ ଅଧିକାରୀ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ମନ୍ତ୍ରୀଙ୍କୁ ଗୁଳି କଲେ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ନବ ଦାସଙ୍କ ହତ୍ୟା ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।

ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦିଆଯାଉ – ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

“ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କଲେ। ଏତେ ବଡ଼ ଘଟଣା ଘଟିଗଲା ଅଥଚ ପୋଲସ୍ ଡିଜି ଘଟଣାସ୍ଥଳରେ ପହଞ୍ଚିଲେ ନାହିଁ। ଗୃହ ସଚିବ ନିରବତା ଅବଲମ୍ବନ କରୁଛନ୍ତି। ଜଣାପଡ଼ୁ ନାହିଁ ସରକାରକୁ କିଏ ଚଳଉଛି? ଯେଉଁ ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଉଛି, ସେଠି ସାଧାରଣ ଜନତା କେତେ ସୁରକ୍ଷିତ ତାହା ଅନୁମାନ କରିହେଉଛି। ରାଜ୍ୟ ସରକାର ତୁରନ୍ତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଦାୟିତ୍ଵ ସିବିଆଇକୁ ହସ୍ତାନ୍ତର କରନ୍ତୁ”, କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ସମୀର ମହାନ୍ତି ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେଉଁ ପୋଲିସ ଅଧିକାରୀଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି। ବାରମ୍ବାର ମେଡାଲ ଦେଇ ସମ୍ମାନ ଦେଇଛନ୍ତି। ସେହି ଅଧିକାରୀ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା କୁହାଯାଉଛି। ତେବେ ସେ କାହିଁକି ଏବଂ କେଉଁ ରାଗରେ ମନ୍ତ୍ରୀଙ୍କୁ ଗୁଳି କଲେ? ଯାହାକୁ ନେଇ କେବଳ ରାଜ୍ୟ ରାଜନୀତିରେ ନୁହେଁ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ବୋଲି ସେ କହିଛନ୍ତି।

ରାଜ୍ୟ ପୋଲିସ ବିଭାଗ ତଦନ୍ତ କରିବା ପୂର୍ବରୁ ଫଇସଲା କରିଦେଇଥିବା ଅଭିଯୋଗ କରିଛନ୍ତି ସମୀର ମହାନ୍ତି। ସେ କହିଛନ୍ତି ସୋମବାର ଦିନ ଯେଉଁଭଳି ଭାବେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଗଲା ଅଭିଯୁକ୍ତ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛି। ଏହା ସହଜରେ ଗ୍ରହଣ କରି ହେଉ ନାହିଁ ବୋଲି ସେ କହିଛନ୍ତି।

“ବିଗତ ଦିନଗୁଡ଼ିକରେ କ୍ରାଇମବ୍ରାଞ୍ଚକୁ ଅନେକ ଘଟଣାର ତଦନ୍ତ ଭାର ଦିଆଯାଇଛି। କୌଣସି ହରସ୍ୟ ଉପରୁ ପରଦା ଉଠିପାରୁ ନାହିଁ। ମୁଖ୍ୟମନ୍ତ୍ରୀ ନିଜର ସ୍ଵଚ୍ଛତା ରକ୍ଷା କରନ୍ତୁ। ଏହି ଘଟଣାର ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ। ତଦନ୍ତ ଯେତିକି ବିଳମ୍ବ ହେବ ପ୍ରମାଣ ନଷ୍ଟ ହେବାର ରାସ୍ତା ସେତିକି ପ୍ରସ୍ତୁତ ହୋଇଯିବ”, କହିଛନ୍ତି ସମୀର ମହାନ୍ତି।

ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କାହିଁକି ନବ ଦାସଙ୍କୁ ହତ୍ୟା କରାଗଲା? ଏହି ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଭରସା ନଥିବା କହିଛି କଂଗ୍ରେସ। ଗୁଳିମାଡ଼ରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।

ମଙ୍ଗଳବାର ଦିନ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ଘଟଣାର ଏସଆଇଟି ତଦନ୍ତ କରିବା ଲାଗି ଦାବି କରିଛି କଂଗ୍ରେସ। ହାଇକୋର୍ଟର ଜଣେ କାର୍ଯ୍ୟରତ ଜଜଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ।

ପୂର୍ବରୁ କ୍ରାଇମବ୍ରାଞ୍ଚ ଅନେକ ଘଟଣାର ତଦନ୍ତ ଭାର ନେଇଛି। କିନ୍ତୁ ସତ ପଦାକୁ ଆସିବା ପରିବର୍ତ୍ତେ ଲୁଚି ଯାଇଛି। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇବ୍ରାଞ୍ଚକୁ ଦିଆଯାଇଛି। ରାଜ୍ୟ ସରକାର ଜାଣିଶୁଣି ଏହି ହତ୍ୟା ଚକ୍ରାନ୍ତର ରହସ୍ୟ ଉପରୁ ପରଦା ହଟାଇବାକୁ ଚାହୁଁ ନାହାନ୍ତି।

ଏହା କୌଣସି ସାଧାରଣ ହତ୍ୟା ଘଟଣା ନୁହେଁ, ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି ଏବଂ ଏଥିରେ ବହୁ ବଡ଼ ବଡ଼ ଲୋକଙ୍କ ହାତ ରହିଛି। ଯେଉଁମାନେ ରାଜ୍ୟ ଶାସନରେ ଉପର ଲେବୁଲରେ ରହିଛନ୍ତି ସେମାନେ ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ନବ ଦାସଙ୍କ ହତ୍ୟା ଘଟଣାକୁ ତିନିଦିନ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ପୋଲିସ ଡିଜି କାହିଁକି ମୁହଁ ଖୋଲୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛି।

ବର୍ତ୍ତମାନ ସବୁଠି ଗୋଟିଏ ଚର୍ଚ୍ଚା କାହିଁକି ହତ୍ୟା କରାଗଲା ମନ୍ତ୍ରୀ ନବ ଦାସଙ୍କୁ। ମନ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳକୃଷ୍ଣ ଦାସ କାହିଁକି ମନ୍ତ୍ରୀଙ୍କ ଉପରକୁ ଗୁଳି କଲେ? ମନ୍ତ୍ରୀଙ୍କ ସହ ତାଙ୍କର କୌଣସି ଶତ୍ରୁତା ଥିଲା ନା, ଏଭଳି କରିବାକୁ ତାଙ୍କୁ କେହି ମୋହରା ସଜାଇଛି? ଏହିଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

Tags: #Politics #OdishaPolitics #Murder #BJD #BJP #Congress

Comment