ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବାର ୩ ଦିନ ପରେ ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହି ଘଟଣାରେ ବଦଳି ହୋଇଛନ୍ତି ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଏବଂ ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼।

ପ୍ରଦ୍ୟୁମ୍ନ ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବାବେଳେ ଏସଆଇ ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁରରୁ ଝାରସୁଗୁଡ଼ା ଆସିଛନ୍ତି ଇନ୍ସପେକ୍ଟର ଧବଳେଶ୍ୱର ସାହୁ।

ସେପଟେ ମନ୍ତ୍ରୀ ନବ ଦାସଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଥିବା ବେଳେ ନବ ଦାସଙ୍କ ହତ୍ୟା ମାମଲାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ଗାନ୍ଧୀଛକ ଥାନା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିବାବେଳେ ୪ ଦିନ ପାଇଁ ଅନୁମତି ମିଳିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେଇ ମନ୍ତ୍ରୀଙ୍କ ହତ୍ୟା ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିବ।

Tags: #OdishaPolitics #NabaKishorDas #Death #Murder #ASIGopalKrishnaDasArrested #CrimeBranchInvestigation #Suspend

Comment