ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଶନିବାର ଅପରାହ୍ଣରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି।

ଶନିବାର ରାଷ୍ଟ୍ରପତି ନିଜର ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ସେ କଟକର ବିଦ୍ୟାଧରପୁରସ୍ଥିତ  ଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ଯାତ୍ରା କରିଥିଲେ। ସେଠାରେ ସେ ଭାରତୀୟ ରାଇସ କଂଗ୍ରେସର ଦ୍ଵିତୀୟ ସମ୍ମେଳନୀକୁ ଉଦଘାଟନ କରିଥିଲେ।  ଏହି କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ହେଲିକେପ୍ଟର ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।

ଏହାପୂର୍ବରୁ ଶୁକ୍ରବାର ରାଷ୍ଟ୍ରପତି ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ଦ୍ଵିତୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହାଛଡ଼ା ସନ୍ଧ୍ୟାରେ ରମାଦେବୀ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ।

ରାଷ୍ଟ୍ରପତିଙ୍କ ଫେରିବା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।

Tags: #PresidentOfIndia #DroupadiMurmu #OdishaVisit #Bhubaneswar #Odisha

Comment