ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ଶନିବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ଵାଗତ କରିବା ଲାଗି ଆଦିବାସୀ ନୃତ୍ୟଗୀତର ପରିବେଷଣ କରାଯାଇଛି। ରାଷ୍ଟ୍ରପତିଙ୍କ ସହ ତାଙ୍କ ଝିଅ ମଧ୍ୟ ମନ୍ଦିର ଦର୍ଶନ କରିଛନ୍ତି।

ଶନିବାର ରାଷ୍ଟ୍ରପତି ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ସେ ବିନ୍ଦୁସାଗର ନିକଟରୁ ଚାଲିଚାଲି ମନ୍ଦିରକୁ ଯାଇଥିଲେ।

ମନ୍ଦିର ପରିସରରେ ସେ ପ୍ରଥମେ ସିଦ୍ଧି ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତାପରେ ପ୍ରଭୁ ଲିଙ୍ଗରାଜଙ୍କୁ ଗର୍ଭଗୃହରେ ଜଳାଭିଷେକ କରିଥିଲେ। ତାପରେ ସେ ପାର୍ବତୀ ମନ୍ଦିର ଦର୍ଶନ କରିବାସହ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା। ମନ୍ଦିରରେ ରାଷ୍ଟ୍ରପତିଙ୍କୁ  ସେବାୟତମାନେ ପ୍ରଭୁ ଲିଙ୍ଗରାଜଙ୍କ କୋଠ ଭୋଗ ଓ ମୁଆଁ ଆଦି ଦେଇଥିଲେ।

ଲିଙ୍ଗରାଜ ମନ୍ଦିରରେ ଦର୍ଶନ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକର ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି।  ଏଠାରେ ପହଞ୍ଚି ସେ ଭାରତୀୟ ରାଇସ୍ କଂଗ୍ରେସର ଦ୍ଵିତୀୟ ସଂସ୍କରଣର ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Tags: #PresidentofIndia #DroupadiMurmu #LingarajTempleVisit #Bhubaneswar #Odisha

Comment