ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ଵିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଶନିବାର ଦିନ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଇଣ୍ଡିଆନ ରାଇସ କଂଗ୍ରେସ ଉପରେ ଆଧାରିତ ଏକ ପୁସ୍ତକକୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ।  କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇଥିଲେ।

ଏହି ଅବସରରେ ଚାଉଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀବନର ଶସ୍ୟ ବୋଲି କହିବା ସହ ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଚାଉଳ ଉତ୍ପାଦନ କରି ଅନ୍ୟ ଦେଶମାନଙ୍କୁ ଯୋଗାଉଛି।

ସେ କହିଥିଲେ ଜଳବାୟୁ ପରିବର୍ତ୍ତନ ଧାନ ଉତ୍ପାଦନରେ ବାଧା ସୃଷ୍ଟି କରୁଛି। କେବଳ ଜଳବାୟୁ ନୁହେଁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଧାନ ଉତ୍ପାଦନରେ ବାଧା ଉପୁଯାଉଛି। ତେଣୁ ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଯୁବ ଓ ମହିଳା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ।

ବର୍ତ୍ତମାନ ଅଧିକ ଅମଳ ଆଶାରେ ଖେତରେ ସାର ପ୍ରୟୋଗ କରାଯାଇ ମାଟିକୁ ନଷ୍ଟ କରାଯାଉଛି। ତେଣୁ ପାରମ୍ପାରିକ ପଦ୍ଧତିରେ ଧାନ ଚାଷ କରିବା ଉପରେ ଗୁରୁତ୍ଵ ଦେଇଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଫେବ୍ରୁଆରି ୧୦ ତାରିଖଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ସାରି ରାଷ୍ଟ୍ରପତି କଟକ ଅଭିମୁଖେ ଗସ୍ତ କରିଥିଲେ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତି ପହଞ୍ଚି ଥିଲେ ବିଦ୍ୟାଧରପୁରସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ। ସେଠାରେ ଦ୍ଵିତୀୟ ଇଣ୍ଡିଆ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ। ଇଣ୍ଡିଆ ରାଇସ କଂଗ୍ରେସ ଫେବ୍ରୁଆରି ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବ। ଏଥିରେ ଦେଶ ବିଦେଶର ପ୍ରାୟ ୩୫୦ ଜଣ କୃଷି ବୈଜ୍ଞାନିକ ଯୋଗ ଦେଇଛନ୍ତି।

Tags: #PresidentOfIndia #DraupadiMurmu #IndianRiceCongress #Inauguration

Comment