ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଢ଼ୁଛି ଫିଜିଓ ଥେରାପିଷ୍ଟଙ୍କ ଚାହିଦା
  • ଭିଡିଓ ପରାମର୍ଶ ଏବଂ ଟେଲି-ମେଡିସିନର ଉପାୟ ବିକଶିତ କରିବାକୁ ମୋଦୀଙ୍କ ପରାମର୍ଶ
  • “ଫିଜିଓଥେରାପି ଯୋଗ ଯୁକ୍ତ ହେଲେ ଏହାର ଶକ୍ତି ବହୁଗୁଣା ହୋଇଯିବ”

ଫିଜିଓ ଥେରାପିଷ୍ଟମାନଙ୍କ ଭଳି ବିଶେଷଜ୍ଞଙ୍କ ନେତୃତ୍ଵରେ ଭାରତ ଫିଟ ରହିପାରିବ ବୋଲି ଅହମ୍ମଦବାଦଠାରେ ଆୟୋଜିତ ଇଣ୍ଡିଆନ ଆସୋସିଏଏସ ଅଫ ଫିଜିଓଥେରାପିଷ୍ଟ (ଆଇଏପି)ର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହି ଅବସରରେ ଲୋକଙ୍କୁ ଫିଜିଓ ଥେରାପିଷ୍ଟମାନଙ୍କଠାରୁ ଉଚିତ ମୁଦ୍ରା, ସଠିକ୍ ଅଭ୍ୟାସ, ଉପଯୁକ୍ତ ବ୍ୟାୟାମ ସମ୍ପର୍କରେ ପ୍ରଶିକ୍ଷଣ ନେବା ଲାଗି ପରାପର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ।

ଫିଜିଓଥେରାପିଷ୍ଟଙ୍କ ଚାହିଦା ବଢ଼ୁଛି

“ଫିଜିଓ ଥେରାପିଷ୍ଟ କେବଳ ଜଣେ ମଣିଷ ଶରୀରର କ୍ଷତକୁ ଭଲ କରିନଥାନ୍ତି, ମାନସିକ ଭାବେ ସୁସ୍ଥ ରହିବାରେ ମଧ୍ୟ ସହାୟତା କରିଥାନ୍ତି। ବର୍ତ୍ତମାନ ଛୋଟ ଛୋଟ ସହରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ ଫିଜିଓ ଥେରାପିଷ୍ଟମାନଙ୍କର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫ୍ୟାମିଲି ଡାକ୍ତରଙ୍କ ସହ ଏବେ ଫ୍ୟାମିଲି ଫିଜିଓଥେରାପିଷ୍ଟଙ୍କ ଆବଶ୍ୟକତା ବଢ଼ିବାରେ ଲାଗିଛି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଯୋଗର ଅଭିଜ୍ଞତାକୁ ଫିଜିଓଥେରାପି ସହ ଯୋଡ଼ା ଗଲେ ଏହାର ଶକ୍ତି ବହୁ ଗୁଣରେ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଶରୀରର ସାଧାରଣ ସମସ୍ୟା ପାଇଁ ଆବଶ୍ୟକ ହେଉଥିବା ଫିଜିଓଥେରାପି ଯୋଗ ଦ୍ଵାରା ଠିକ୍ ହୋଇପାରୁଥିବା ଅନେକ ସମୟରେ ଦେଖିବାକୁ ମିଳିଛି। ତେଣୁ ଫିଜିଓଥେରାପିଷ୍ଟଙ୍କୁ ଯୋଗ ସମ୍ପର୍କରେ ଅଭିଜ୍ଞତା ରହିବା ଆବଶ୍ୟକ। ଯାହା ଫଳରେ ଜଣେ ଫିଜିଓଥେରାପିଷ୍ଟଙ୍କର ଦକ୍ଷତାରେ ଆହୁରି ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ।

ଭିଡିଓ ପରାମର୍ଶ ଏବଂ ଟେଲି-ମେଡିସିନର ଉପାୟ ବିକଶିତ କରିବାକୁ ମୋଦୀଙ୍କ ପରାମର୍ଶ

ବର୍ତ୍ତମାନ ଫିଜିଓଥେରାପିର ଆବଶ୍ୟକତା ପଡ଼ିବା ସହ ଫିଜଓଥେରାପିଷ୍ଟଙ୍କର ଚାହିଦା ବଢ଼ୁଛି। ତେଣୁ ଭିଡିଓ ପରାମର୍ଶ ଏବଂ ଟେଲି-ମେଡିସିନର ଉପାୟ ବିକଶିତ କରିବାକୁ ଏହି କ୍ଷେତ୍ରରେ ରହିଥିବା ବିଶେଷଜ୍ଞମାନଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ କହିଥିଲେ ଯେ, ତୁର୍କୀ ଭୂମିକମ୍ପ ଭଳି ପରିସ୍ଥତିରେ ଭିଡିଓ ପରାମର୍ଶ ଏବଂ ଟେଲି-ମେଡିସିନ ସହାୟକ ହୋଇପାରିବ। ଏଭଳି ପରିସ୍ଥିତିରେ ଭାରତୀୟ ଫିଜିଓଥେରାପିଷ୍ଟମାନେ ମୋବାଇଲ ମାଧ୍ୟମରେ ସହାୟତା ଯୋଗାଇ ପାରିବେ। ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ଫିଜିଓ ଥରାପିଷ୍ଟ ଆସୋସିଏସନକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆକସ୍ମିକ ଦୁର୍ଘଟଣାର ଶିକାର ହେଉଥିବା ରୋଗୀଙ୍କୁ ଉଭୟ ଶରୀରିକ ଏବଂ ମାନସିକ ଅସୁସ୍ଥତାରୁ ଫିଜିଓଥେରାପିଷ୍ଟମାନେ ମୁକୁଳାଇ ପାରନ୍ତି ବୋଲି ସେ କହିଥିଲେ।

କେନ୍ଦ୍ର ସରକାର ଫିଜିଓଥେରାପିକୁ ଏକ ବୃତ୍ତି ଭବେ ମାନ୍ୟତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ଫିଜିଓଥେରାପିଷ୍ଟମାନଙ୍କର ମାନସମ୍ମାନ ବୃଦ୍ଧି ପାଉଛି। ଆୟୁସ୍ମାନ ଭାରତ ଯୋଜନା ସହ ଫିଜିଓଥେରାପିଷ୍ଟଙ୍କୁ ସାମିଲ କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଯୋଗୁଁ ଦେଶ ତଥା ବିଦେଶରେ ରୋଗୀଙ୍କ ଚିକିତ୍ସା କରିବାକୁ ଫିଜିଓ ଥେରାପିଷ୍ଟମାନଙ୍କୁ ସହଜ ହେଉଛି।

ଏହି ଅବସରରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ କହିଥିଲେ ଯେ, ପୂର୍ବରୁ ଫିଜିଓଥେରାପିର ଏତେ ପ୍ରଚଳନ ନଥିଲା। ୨୦ ବର୍ଷ ପୂର୍ବରୁ ରାଜ୍ୟରେ ମାତ୍ର ୮ଟି ଫିଜିଓଥେରାପି କଲେଜ ଥିବାବେଳେ ମାତ୍ର ୨୪୦ଟି ଆସନ ଥିଲା। ବର୍ତ୍ତମାନ ୮୪ଟି ଫିଜିଓଥେରାପି କଲେଜ ଏବଂ ୪,୩୯୦ ଆସନ ରହିଛି। ଫିଜିଓଥେରାପିଷ୍ଟମାନଙ୍କ ଚାହିଦା ବଢ଼ୁଥିବାରୁ ଏହି କ୍ଷେତ୍ରରେ କାମ କରିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସମ୍ଭାବନା ରହିଥିବା ସେ କହିଥିଲେ।

Tags: #IndianAssociationofPhysiotherapist #Physiotherapy #Physiotherapist #PMNarendraModi #IAP

LEAVE A REPLY

Please enter your comment!
Please enter your name here