ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଦିଲ୍ଲୀରୁ ଆସିଲା ଛାତିଥରା ଖବର। ଶ୍ରଦ୍ଧା ହତ୍ୟା ଘଟଣାକୁ ଲୋକେ ଭୁଲି ନଥିବାବେଳେ ସେହିଭଳି ଜଘନ୍ୟ ଘଟଣାର ପୁନରାବୃତ୍ତି ହୋଇଛି।

ଦୀର୍ଘ ଦିନର ପ୍ରେମିକାକୁ ରାତିରେ ହତ୍ୟା କରି ତା’ର ଶବକୁ ଫ୍ରିଜରେ ଲୁଚାଇ ରଖିଲେ ଏବଂ ତା’ ପରଦିନ ସକାଳେ ଅନ୍ୟ ଜଣେ ଝିଅକୁ ବେଦିରେ ବସି ବିବାହ କଲେ ଯୁବକ। ଏଭଳି ଅଭାବନୀ ଘଟଣା ଘଟିଛି ଦିଲ୍ଲୀ ନଜଫଗଡ଼ର ମିତ୍ରାଂଭ ଗାଁରେ। ନିଜ ପ୍ରେମିକା ନିକ୍କି ଯାଦବଙ୍କୁ ହତ୍ୟା କରି ବନ୍ଧା ହେଲେ ପୁରୁଷ ବନ୍ଧୁ ସାହିଲ ଗହଲଟ। ସାରା ଦେଶ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ କରୁଥିବାବେଳେ ପ୍ରେମିକାକୁ ମୃତ୍ୟୁର ଉପହାର ଦେଇଛନ୍ତି ୨୪ ବର୍ଷିୟ ସାହିଲ।

ପ୍ରତିଦିନ ପ୍ରେମ-ପ୍ରତାରଣା, ହତ୍ୟା କିମ୍ବା ଆତ୍ମହତ୍ୟାର ଖବର ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି। ଖବର କାଗଜର ପୃଷ୍ଟା ହେଉବା ବା ସୋସିଆଲ ମିଡିଆ। ଆଜିକାଲି ଇଏ ଯେମିତି ଗୋଟିଏ ଟ୍ରେଣ୍ଡ ପାଲଟି ଯାଇଛି। ପ୍ରେମ-ପ୍ରତାରଣା ଓ ହତ୍ୟାର ଘଟଣାର ଆଉ ଏକ ରୋଚକ ଖବର ସାରା ଦେଶରେ ଚାଞ୍ଚଳ୍ୟ ଖେଳାଇ ଦେଇଛି।

କୋଚିଂରୁ ପ୍ରେମ, ରାସ୍ତାରେ ହତ୍ୟା

୨୦୧୮ ମସିହାରେ ଦିଲ୍ଲୀ ନଜଫଗଡ଼ର ମିତ୍ରାଂଭ ଗାଁର ସାହିଲ ଗହଲଟ ଏବଂ ହରିଆଣାର ଝଜ୍ଜରରେ ରହୁଥିବା ନିକ୍କି ଯାଦବଙ୍କ ଦେଖା ହୁଏ। ଉଭୟ ଉତ୍ତମ ନଗରରେ କୋଚିଂ ନେବା ସମୟରେ ଚିହ୍ନା ପରିଚୟ ଏବଂ ବନ୍ଧୁତା ହୋଇଥିଲା। କିଛି ଦିନ ଉଭୟଙ୍କ ସମ୍ପର୍କ ପ୍ରେମରେ ବଦଳି ଗଲା। ପରେ ଦୁହେଁ ଦିଲ୍ଲୀର ବାବା ହରିଦାସ ନଗରଠାରେ ଏକ ଘର ନେଥ ସେଠାରେ ଲିଭ୍ ଇନ୍ ରିଲେସନରେ ରହିବାକୁ ଲାଗିଲେ।

କିଛି ଦିନ ସେମାନଙ୍କ ପ୍ରେମର ଗାଡ଼ି ଭଲ ଭାବେ ଗଡ଼ୁଥିଲା, ହେଲେ ସାହିଲଙ୍କ ପରିବାର ଲୋକଙ୍କ ନିଷ୍ପତ୍ତି ସବୁକିଛି ଓଲଟ ପାଲଟି କରିଦେଲା। ଘର ଲୋକ ସାହିଲଙ୍କ ବିବାହ ଅନ୍ୟ ଏକ ଝିଅ ସହ ଠିକ୍ କରିଦେଲେ। ଏହା ଜାଣିବା ପରେ ଉଭୟ ନିକ୍କି ଏବଂ ସାହିଲଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା।

କ’ଣ ଘଟିଥିଲା ଫେବ୍ରୁଆରି ୯ ତାରିଖରେ?

ଝଗଡ଼ା ପରେ ସାହିଲ ଏବଂ ନିକ୍କିଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଇଥିଲା। ଫେବ୍ରୁଆରି ୯ ତାରିଖ ରାତିରେ ସାହିଲ ଫୋନ କରି ନିକ୍କିକୁ ଡାକିଥିଲେ ବୁଲିଯିବା ଲାଗି। ରାତିରେ ନିକ୍କି ସାହିଲ ରହୁଥିବା ଫ୍ଲାଟ ନିକଟକୁ ଆସିବା ପରେ ଦୁହେଁ କାରରେ ବାହାରି ଯାଇଥିଲେ।

ପୁଣି ସାହିଲଙ୍କ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଗି ଯାଇ ସାହିଲ ଅଧାବାଟରେ ହିଁ ନିକ୍କିଙ୍କ ତଣ୍ଟି ଚିପି ହତ୍ୟା କରି ଦେଇଥିଲେ। ମୃତ୍ୟୁ ପରେ ପ୍ରାୟ ୪୦ କିଲୋ ମିଟର ପର୍ଯ୍ୟନ୍ତ ନିକ୍କିଙ୍କ ଶବକୁ ଧରି ବୁଲିଥିଲେ ସାହିଲ। ପରେ ସେ ଶବକୁ ଧରି ମିତ୍ରାଓ ଗାଁରେ ଥିବା ନିଜ ଢାବାରେ ପହଞ୍ଚିଥିଲେ। ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଏହି ଢାବାରେ ଥିବା ଫ୍ରିଜ ଭିତରେ ନିକ୍କିଙ୍କ ଶବକୁ ଲୁଚାଇ ଦେଲେ।

ଫେବ୍ରୁଆରି ୯ରେ ହତ୍ୟା, ୧୦ରେ ବିବାହ କଲେ ସାହିଲ

ରାତିରେ ପ୍ରେମିକାକୁ ହତ୍ୟା କରି ତା’ର ଶବ ଲୁଚାଇବା ପରେ ତା’ ପରଦିନ ସକାଳେ ଅନ୍ୟ ଜଣେ ଝିଅକୁ ବେଦିରେ ବସି ବିବାହ କରିଥିଲେ ସାହିଲ। ଭାବିଥିଲେ କିଛି ଜଣାପଡ଼ିବ ନାହିଁ। ଚାରି ଦିନ ପର୍ଯ୍ୟନ୍ତ ଫ୍ରିଜ ଭିତରେ ରହିଥିଲା ନିକ୍କିଙ୍କ ଶବ। ଝିଅ ସହ ଚାରି ଦିନ ଧରି କୌଣସି ଯୋଗାଯୋଗ ହୋଇପାରୁ ନଥିବାରୁ ନିକ୍କିଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଲେ।

ପରେ କ୍ରାଇମବ୍ରାଞ୍ଚ ବିଭାଗରେ ଥିବା ଜଣେ ସମ୍ପର୍କୀୟଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ନିକ୍କିଙ୍କ ପରିବାର ଲୋକେ। ନିକ୍କିଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯିବା ପରେ ଶବ ରହିଥିବା ସ୍ଥାନ ଠାବ କରାଯାଇଥିଲା। ନିକ୍କିଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ସ୍ଥାନକୁ ଯାଇ ଫ୍ରିଜ ଭିତରୁ ନିକ୍କିଙ୍କ ଶବ ଜବତ କରିଥିଲା।

ନିକ୍କିଙ୍କୁ ହତ୍ୟା କରି ସାହିଲ ଫ୍ରିଜ ଭିତରେ ଲୁଚାଇ ରଖିଥିବା ନିକ୍କିଙ୍କ ବାପା ମା’ ଅଭିଯୋଗ କରିଥିବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ସାହିଲଙ୍କୁ ଗିରଫ କରିଥିଲା। ଥାନାକୁ ନେଇ ଚପରା ଉଚରା କରିବା ପରେ ନିକ୍କିଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲେ ସାହିଲ। ଏହା ପରେ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଥିଲେ ଅଭିଯୁକ୍ତ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #Love #Murder #Marriage #DelhiMurderCase #ShahilGehlot#NikkiYadav

Comment