ଓଡ଼ିଶାଲାଇଭ୍ ବ୍ୟୁରୋ

ଯାହାକୁ ଯେଉଁ ଜିନିଷ ପସନ୍ଦ, ଯଦି ତାକୁ ସେହି ଜିନିଷ ଦିଆଯାଏ ସେ ଖୁସି ହୁଅନ୍ତି। ସେ ମଣିଷ ହୁଅନ୍ତୁ ବା ଭଗବାନ। ସବୁ ଠାକୁରଙ୍କର ମଧ୍ୟ କିଛି ନା କିଛି ପ୍ରିୟ ଜିନିଷ ରହିଛି। ସେ ଫୁଲ ହେଉକି ଫଳ। ଯେଉଁ ଠାକୁରଙ୍କର ଯାହା ପ୍ରିୟ ସେ ଅନୁସାରେ ଯଦି ସେମାନଙ୍କୁ ଅର୍ପଣ କରାଯାଏ ସେଥିରେ ସେମାନେ ଖୁସି ହୁଅନ୍ତି ବୋଲି ଲୋକଙ୍କର ବିଶ୍ଵାସ ରହିଛି। ଆଜି ମହାଶିବରାତ୍ରି ହୋଇଥିବାରୁ ଶିବ ଭଗବାନଙ୍କୁ ତାଙ୍କ ପସନ୍ଦର ଫୁଲ ଅର୍ପଣ କରିବା ନିହାତି ଦରକାର।

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଖୁବ ସରଳ। ଅଳ୍ପରେ ସନ୍ତୁଷ୍ଟ ହେଉଥିବାରୁ ତାଙ୍କୁ ଆଶୁତୋଷ ବୋଲି ମଧ୍ୟ କୁହାଯାଏ। ସେଥିପାଇଁ ମହାଦେବଙ୍କର ସବୁଠୁ ବଡ଼ ପର୍ବ ମହାଶିବରାତ୍ରି ବା ଜାଗରରେ ଭକ୍ତମାନେ ତାଙ୍କୁ ପ୍ରସନ୍ନ କରିବାକୁ ବ୍ରତ ପାଳନ କରିଥାନ୍ତି। ରାତିରେ ଉଜାଗର ରହି ଦୀପ ଜାଳିଥାନ୍ତି। କେହି କେହି ଭକ୍ତ ଶିବଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କର ପ୍ରିୟ ଫୁଲ ଅର୍ପଣ କରିଥାନ୍ତି। ମହାଦେବଙ୍କୁ ତାଙ୍କ ପ୍ରିୟ ଫୁଲ ଅର୍ପଣ କରିବା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ଅଳସୀ ଫୁଲ ମହାଶିବରାତ୍ରିରେ ଶିବଙ୍କୁ ଅର୍ପଣ କଲେ ସବୁ ପାପ ମୋଚନ ହୋଇଥାଏ ବୋଲି ମାନ୍ୟତା ରହିଛି।ସେହିପରି ନାଲି ତଥା ଧଳା ଅରଖ ଫୁଲରେ ଶିବଙ୍କୁ ପୂଜା କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

କନିଅର ଫୁଲ ବି ଶିବଙ୍କର ସବୁଠାରୁ ପ୍ରିୟ। ଶିବରାତ୍ରିରେ ଶିବଙ୍କୁ ଏହି ଫୁଲରେ ପୂଜାର୍ଚ୍ଚନା କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଏହା ସହ ଦୁଦୁରା ଫୁଲ ମଧ୍ୟ ମହାଦେବଙ୍କର ଭାରି ପ୍ରିୟ। ଯେଉଁ ଦମ୍ପତି ମହାଶିବରାତ୍ରି ଅବସରରେ ଏହି ଫୁଲ ଅର୍ପଣ କରି ମହାଦେବଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ସେମାନଙ୍କୁ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଚମ୍ପା, ମଲ୍ଲୀ ଫୁଲ ମଧ୍ୟ ଅର୍ପଣ କରିପାରି ମହାଦେବଙ୍କ କୃପା ପାଇପାରିବେ ଭକ୍ତ।

Tags: #Shivaratri #Jagara #Devotees #ShivaTemple #LordShiva #FavoriteFlower #LingarajTemple #LokalathTemple

Comment