ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ କେବେ କବି ହେବାକୁ ଚାହିଁ ନଥିଲି, କିନ୍ତୁ ନିୟତିର ନିର୍ଦ୍ଦେଶ ମୋତେ କବି ହେବାର ସୌଭାଗ୍ୟ ପ୍ରଦାନ କରିଛି। ଆଜି କବିତା ମୋତେ ଜୀବନ ବଞ୍ଚାବାରେ ସାହାଯ୍ୟ କରୁଛି। କବିତାର ଉତ୍ତରଣ ଦିନେ କି ଦୁଇଦିନ ନୁହେଁ, ବରଂ ଜୀବନବ୍ୟାପୀ ସାଧନାର ଏକ ପ୍ରାପ୍ତି”, କହିଛନ୍ତି ଇଂରାଜୀ ଏବଂ ଓଡ଼ିଆ ସାହିତ୍ୟର ଲବ୍ଧପ୍ରତିଷ୍ଠ କବି ପଦ୍ମଶ୍ରୀ ପ୍ରଫେସର ଜୟନ୍ତ ମହାପାତ୍ର।

ପଦ୍ମଶ୍ରୀ ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ଲେଖନୀ ଉପରେ ଦୁଇଦିନିଆ କର୍ମଶାଳା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ‘ଏକ ପ୍ରଭାବଶାଳୀ ପ୍ରତ୍ନତତ୍ତ୍ଵ ରୂପେ ଆତ୍ମଜୀବନୀ ଅଧ୍ୟୟନ: କବି ଜୟନ୍ତ ମହାପାତ୍ରଙ୍କ ସୃଜନାତ୍ମକ ଲେଖନୀର ଆବିଷ୍କାର’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ବିଶ୍ଵବିଦ୍ୟାଳୟ ଏବଂ ବରୋଦାସ୍ଥିତ ଫୋରମ ଅନ କଣ୍ଟେମ୍ପରାରି ଥିଓରି ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।

ଆଲୋଚନାଚକ୍ରର ପ୍ରଥମ ଦିବସରେ ଫୋରମ ଅନ କଣ୍ଟେମ୍ପରାରି ଥିଓରି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର କର ସଭାପତିତ୍ଵ କରି ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ କବିତାର ଅନ୍ତଃସ୍ଵରରେ ମାନବୀୟ ଆବେଦନର ଚିତ୍ରଣ କରିଥିଲେ। ସେହିପରି ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବଲପୁର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରଫେସର ତଥା ଆଲୋଚନାଚକ୍ରର ଆବାହକ ପ୍ରଫେସର କାଳିଦାସ ମିଶ୍ର ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ କବିତାରେ କବିଙ୍କ ବାଲ୍ୟଜୀବନର ସ୍ମୃତି ଜଡ଼ିତ ଥିବା କହିଥିଲେ। ଏହା ସହ କବିତାରେ ବୃକ୍ଷଲତା, ନଦୀ, ପୁଷ୍କରିଣୀ, ଗ୍ରାମ୍ୟ ଜୀବନର ନିଖୁଣ ଚିତ୍ର କିପରି ଜୀବନ୍ତ ଭାବେ ପ୍ରତିପାଦିତ ହୋଇଛି ତାହା ବର୍ଣ୍ଣନା କରିଥିଲେ।

ଏହି ଅବସରରେ ପ୍ରଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କୁ ବିଶ୍ଵବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କଲିକଟ ବିଶ୍ଵବିଦ୍ୟାଳୟର ପ୍ରଫେସର ପିପି ରବିନ୍ଦ୍ରନ ମୁଖ୍ୟବକ୍ତା ରୂପ ଯୋଗ ଦେଇ କବି ଜୟନ୍ତ ମହାପାତ୍ରଙ୍କୁ ତାଙ୍କ ସମୟର ସର୍ବଶ୍ରେଷ୍ଠ କବି ତଥା ଏକ ଚଳନ୍ତି ସ୍ମାରକୀ ରୂପେ ବିବେଚନା କରିଥିଲେ। କବି ଜୟନ୍ତ ମହାପାତ୍ରଙ୍କ କବିତାରେ ସଚ୍ଚୋଟତା ଏବଂ ଆନ୍ତରିକାର ସମାଗମ ଦେଖିବାକୁ ମିଳିଥାଏ ବୋଲି ସେ କହିଥିଲେ।

ଏହି ଆଲୋଚନାଚକ୍ରର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ତଥା ଆକର୍ଷଣୀୟ ଅଂଶ ଥିଲା ‘ରି-ଭିଜନ ରିଲେସନସିପ୍’ ଶୀର୍ଷକ କଳା ପ୍ରଦର୍ଶନୀ। ଏହା ନୂତନ ବରୋଦା ବ୍ରିଜ ଇଣ୍ଡିଆ ପୋରମ ଅଫ କଣ୍ଟେମ୍ପରାରି ଥିଓରି, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଏବଂ ବାରିପଦା ଶରତ ଚନ୍ଦ୍ର ଲାଇବ୍ରେରିର ମିଳିତ ଆନୁକୂଲ୍ୟରେ ପ୍ରଦର୍ଶିତ ହୋଇଥିଲା। କଳା, ଐତିହାସିକ, କ୍ୟୁରେଟର ତଥା ସାଂସ୍କୃତିକ ଚିନ୍ତକ ଡକ୍ଟର ରାଜଶ୍ରୀ ବିଶ୍ଵାଳ ଏବଂ ବୀରେନ୍ଦ୍ର ପାଣିଙ୍କ ଭ୍ରାମ୍ୟମାଣ ପ୍ରଦର୍ଶନୀ ‘ଇ-ଭିଜନ’ ଏବଂ କବି ଜୟନ୍ତ ମହାପାତ୍ରଙ୍କ ଗୁରୁତ୍ଵପୂର୍ଣ୍ଣ କବିତା ‘ରିଲେସନସିପ’ର ସାମଞ୍ଜସ୍ୟକୁ ଭିତ୍ତି କରି ଏହି ପ୍ରଦର୍ଶନୀ କରାଯାଇଥିଲା।

ଏହି ଦୁଇ ଦିନିଆ କର୍ମଶାଳାର ବିଭିନ୍ନ ଅଧିବେଶନରେ ପି ରବୀନ୍ଦ୍ରନ, ଚିତ୍ତରଞ୍ଜନ ମିଶ୍ର, ରାଜା ରାଓ, ରାଜଶ୍ରୀ ବିଶ୍ଵାଳ, ନମିତା ଜଗଦେବ, ସରିତା ସ୍ଵାଇଁ ଏବଂ ମହାବିଦ୍ୟାଳୟର ଅନ୍ୟାନ୍ୟ ଯୁବ ଗବେଷକଙ୍କ ଉପସ୍ଥାପିତ ସନ୍ଦର୍ଭଗୁଡ଼ିକରେ ଜୟନ୍ତ ମହାପାତ୍ରଙ୍କ କବିତାର ବିଭିନ୍ନ ଦିଗ ଯଥା ସ୍ଥାନ, ଇତିହାସ, ସ୍ମୃତି, ପରିଚୟ, ଶ୍ରେଣୀ ଏବଂ ଲିଙ୍ଗଗତ ପାର୍ଥକ୍ୟ ଓ ଯନ୍ତ୍ରଣା, ମାନବ ଯନ୍ତ୍ରଣା ଏବଂ ବ୍ରହ୍ମାଣ୍ଡ ଅନୁଭୂତି ଆଦି ସାମିଲ ରହିଛି।

ସନ୍ଧ୍ୟାରେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, କାଳିଦାସ ମିଶ୍ର, ପ୍ରୀତିଧାରା ସାମଲ, ରବୀନ୍ଦ୍ର ସ୍ଵାଇଁ, ନମିତା ଜଗଦେବ, ଅଜିତ କୁମାର କୁଲୁ ତଥା ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ କବିତା ପଠନ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଡକ୍ଟର ଶକ୍ତିଶଙ୍କର ଦଣ୍ଡପାଟଙ୍କ ରଚିତ ପୁସ୍ତକ ‘ବିଙ୍ଗ ଇଜ’ ଲୋକାର୍ପଣ କରାଯାଇଥିଲା।

Tags: #Poetry #PadmaShriPoetJayantaMahapatra #NationalConference #Autobiography

LEAVE A REPLY

Please enter your comment!
Please enter your name here