ଅସିତ ମହାନ୍ତି

‘ଜୟନ୍ତ ଯାହା ଜାଣେ ନାହିଁ ‘- କିଛି ବର୍ଷ ତଳେ ଏହା ଥିଲା ଜୟନ୍ତ ମହାପାତ୍ରଙ୍କୁ ନେଇ ଗୋଟିଏ ଲେଖାର ଶିରୋନାମ। କିନ୍ତୁ ଜୟନ୍ତ ଯାହା ଜାଣିଥିଲେ, ଅନେକଙ୍କୁ ତାହା ଜଣା ନଥିଲା। ଆଜି ବି ଜଣା ନାହିଁ। ଆଉ, ସେଇଥିପାଇଁ ହିଁ ୯୪ ବର୍ଷ ବୟସରେ ବି ସେ ଥିଲେ ଯୁବକ।

ଜୟନ୍ତ ମହାପାତ୍ର ଯାହା ଜାଣିଥିଲେ, ତାହା ହେଉଛି- ଗଭୀର ଭାବେ ଭଲ ପାଇବା। ଜଗନ୍ନାଥ ପ୍ରସାଦ ଦାସଙ୍କୁ ଲେଖିଥିବା ପଦେ କଥାରେ ତାହା ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି। ସେ ଲେଖିଥିଲେ- “ଗଭୀର ଭାବେ ଭଲ ପାଇଲେ ବୟସ ବଢ଼ିଲା ପରି ଲାଗେ ନାଇଁ- ନୁହଁ ଜେପି?” ଆଗରୁ ବେଶ୍ କେତେବାର ଫେସ୍ ବୁକ୍ ରେ ଏହା ପ୍ରକାଶ କରିଛନ୍ତି ଜେପି। ଏବେ ତାଙ୍କ ବିୟୋଗ ପରେ ବି ଆଉଥରେ ଏହା ପ୍ରକାଶ କରିଛନ୍ତି।

୨୨ ଅକ୍ଟୋବର, ୧୯୨୮ରେ କଟକ ସହରରେ ଜୟନ୍ତ ମହାପାତ୍ରଙ୍କର ଜନ୍ମ। ଜଣେ ପୂର୍ବପୁରୁଷଙ୍କ ସୂତ୍ରରେ ସେ ଥିଲେ ଖ୍ରୀଷ୍ଟିଆନ୍। ତା’ ପଛରେ ଥିଲା ସେଇ ପୂର୍ବପୁରୁଷଙ୍କର କ୍ଷୁଧାର ତାଡ଼ନା। ସେ ବାବଦରେ ଜୟନ୍ତ ମହାପାତ୍ର କବିତା ଲେଖିଛନ୍ତି। କଟକ ସହରର ତାଙ୍କ ଚତୁଃପାର୍ଶ୍ଵର ହିନ୍ଦୁ ସମାଜ, ସଂସ୍କୃତି ଓ ଧର୍ମାନୁଷ୍ଠାନ ଏବଂ ଆଚାର ଆଚରଣଠାରୁ ସେ ଯେଉଁ ବିଚ୍ଛିନ୍ନତା ଅନୁଭବ କରୁଥିଲେ, ତାହା ତାଙ୍କର କବିତାରେ ମଧ୍ୟ ରୂପ ପାଇଛି। ସେଇ ବିଚ୍ଛିନ୍ନତାବୋଧକୁ ଅତିକ୍ରମ କରି ନିଜର ସାଂସ୍କୃତିକ ସତ୍ତାର ସନ୍ଧାନ ସେଇ କବିତା ସବୁକୁ ପ୍ରାଣବନ୍ତ କରିଛି।

ଏହାର ବଡ଼ ପ୍ରମାଣ ଆମକୁ ମିଳିଛି ତାଙ୍କ ବିୟୋଗରୁ। ମୃତ୍ୟୁର ଯଥେଷ୍ଟ ପୂର୍ବରୁ ସେ କହିଯାଇଥିଲେ- ତାଙ୍କର ମରଶରୀରକୁ ଖ୍ରୀଷ୍ଟଧର୍ମର ରୀତି ଅନୁସାରେ କବର ଦିଆଯିବ ନାହିଁ, କରାଯିବ ଦାହ ସଂସ୍କାର । ଅଗଷ୍ଟ ୨୮ ତାରିଖ ମଧ୍ୟାହ୍ନରେ ସେହି ଶେଷଇଚ୍ଛା ଅନୁସାରେ, କଟକ ଖାନନଗର ଶ୍ମଶାନରେ ତାଙ୍କର ଦାହ ସଂସ୍କାର କରାଗଲା। ଏଣୁ ମୃତ୍ୟୁରେ ବି ସେ ପ୍ରମାଣିତ କରିଛନ୍ତି, ଯେ ଆତ୍ମାରେ ସେ ଥିଲେ ହିନ୍ଦୁ।

ଜୟନ୍ତ ମହାପାତ୍ର ଥିଲେ ପଦାର୍ଥ ବିଜ୍ଞାନର ଅଧ୍ୟାପକ। ୧୯୪୯ରେ ସ୍ନାତକୋତ୍ତର ଶିକ୍ଷା ଶେଷକରି ସେ ଅଧ୍ୟାପନା ଆରମ୍ଭ କରିଥିଲେ ଏବଂ ୧୯୮୬ରେ ରେଭେନ୍ସା କଲେଜ (ଏବେ ବିଶ୍ଵବିଦ୍ୟାଳୟ)ରୁ ଅବସର ଗ୍ରହଣ କରିଥିଲେ। ୩୮ ବର୍ଷ ବୟସରେ କବିତା ଲେଖା ଆରମ୍ଭ କରି ସେ ଜଣେ ଭାରତୀୟ ଇଂରାଜୀ କବି ଭାବରେ ତୁରନ୍ତ ପ୍ରସିଦ୍ଧ ହୋଇଯାଇଥିଲେ।

୧୯୭୧ରେ ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶ ପାଇଥିଲା ଏବଂ ୧୯୮୧ରେ ସେ ଇଂରାଜୀ କବିତା ପୁସ୍ତକ ‘ରିଲେସନସିପ୍’ ପାଇଁ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଏହି ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଭାରତୀୟ ଇଂରାଜୀ କବି। ପରେ ସାହିତ୍ୟ ଏକାଡେମୀ ମଧ୍ୟ ତାଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଫେଲୋ’ ପ୍ରଦାନ କରିଥିଲେ। ‘ଜୟନ୍ତ ମହାପାତ୍ର- ଏ ରିଡର୍’ ପୁସ୍ତକ ପ୍ରକାଶ କରି ତାଙ୍କୁ ସମ୍ମାନ ମଧ୍ୟ ଜଣାଇଥିଲେ।

୧୯୮୧ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ବେଳକୁ ମୁଁ ଥିଲି ‘ସମାବେଶ’ ପତ୍ରିକାର ପରିଚାଳନା ସଂପାଦକ ଏବଂ ଅଖିଳ ମୋହନ ପଟ୍ଟନାୟକ ଥିଲେ ମୁଖ୍ୟ ସଂପାଦକ। ସେତେବେଳେ ଅଖିଳବାବୁ ତାଙ୍କୁ ନେଇ ‘ସମାବେଶ’ରେ ଗୋଟିଏ ‘ଶେଷପୃଷ୍ଠା’ (ସଂପାଦକୀୟ) ଲେଖିଥିଲେ।

ଜୟନ୍ତ ମହାପାତ୍ର କେବଳ ଯେ କବିତା ଲେଖୁଥିଲେ ତାହା ନୁହେଁ। ସେ ଅନୁବାଦ ମାଧ୍ୟମରେ ବହୁ ଓଡ଼ିଆ କବିଙ୍କୁ ଭାରତରେ ଓ ଭାରତ ବାହାରେ ପରିଚିତି ଦେଇଛନ୍ତି। ସେ ସଂପର୍କରେ ମଧ୍ୟ ‘ସମାବେଶ’ର ଗୋଟିଏ ସଂପାଦକୀୟରେ ଲେଖିଥିଲେ ଅଖିଳ ମୋହନ। ‘ଡେନମାର୍କରେ ଓଡ଼ିଶାର ଛାଇ’ ଶୀର୍ଷକ ସଂପାଦକୀୟରେ ସେ ଲେଖିଛନ୍ତି, “ଜୟନ୍ତ ମହାପାତ୍ର କିଛି ଓଡ଼ିଆ ଲେଖକଙ୍କୁ ଇଂରାଜୀରେ ଅନୁବାଦ କରି ସର୍ବଭାରତୀୟ ସ୍ତରରେ ପରିଚିତ କରାଇବାର ପ୍ରୟାସ କରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ଓ ତାଙ୍କ ଋଣ ସ୍ଵୀକାର କରୁଛି।”

ଅଖିଳବାବୁ ଏହା ଲେଖିଥିଲେ ଆଜିଠୁ ପ୍ରାୟ ୪୦ ବର୍ଷରୁ ଊର୍ଦ୍ଧ୍ଵକାଳ ତଳେ। ଏ ଭିତରେ ଆହୁରି କେତେ ଯେ କବି, ଲେଖକଙ୍କୁ ଜୟନ୍ତ ମହାପାତ୍ର ସେପରି ପରିଚିତି ଦେଇଛନ୍ତି, ତାହାର ସୁମାରି ନାହିଁ।

ବହୁ ବିଳମ୍ବରେ ଜୟନ୍ତ ମହାପାତ୍ର ଓଡ଼ିଆରେ କବିତା ଲେଖିବା ଆରମ୍ଭ କରିଥିଲେ। ଆତ୍ମଜୀବନୀ ‘ଭୋର୍ ମୋତିର କାନଫୁଲ’ ବି ଲେଖି ଥିଲେ। ‘ବଳି’ ତାଙ୍କର ପ୍ରଥମ ଓଡ଼ିଆ କବିତା ପୁସ୍ତକ। ପରେ ଗୋଟିଏ ପରେ ଗୋଟିଏ କରି ‘କହିବି ଗୋଟିଏ କଥା’, ‘ବାୟା ରାଜା’ ଓ ‘ଯଦିବା ଗପଟିଏ’ ଆଦି ତାଙ୍କର ଅନେକ ଓଡ଼ିଆ ପୁସ୍ତକ ପ୍ରକାଶ ପାଇଥିଲା।

ଯୁବ ପିଢ଼ିର କବିମାନଙ୍କର ବି ଖୁବ୍ ପ୍ରିୟ ଥିଲେ ଜୟନ୍ତ ମହାପାତ୍ର। ବିଶେଷକରି ନୂଆ ପିଢ଼ିର ନାରୀକବିଙ୍କର। ନିକଟ ଅତୀତରେ ତାହାକୁ ନେଇ ଜଣେ ବରିଷ୍ଠ କବିଙ୍କର ଏକ ଆପତ୍ତିଜନକ ମନ୍ତବ୍ୟ ଏକ ବିତର୍କିତ ପରିସ୍ଥିତି ସୃଷ୍ଟି କରିଥିଲା। ତାହାର କାରଣ ଥିଲା ତାହା- ଯାହା ସେ ଏକଦା ଜେପିଙ୍କୁ ଲେଖିଥିଲେ- “ଗଭୀର ଭାବେ ଭଲ ପାଇଲେ ବୟସ ବଢ଼ିବାପରି ମନେହୁଏ ନାହିଁ।”

ଏବଂ ସେଇ ଗଭୀର ଭାବେ ଭଲ ପାଇବା ହିଁ ତାଙ୍କୁ ୯୪ ବର୍ଷରେ ବି ଯୁବକ କରି ରଖିଥିଲା।

ସେଇ ଯୁବୋଚ୍ଛଳତା ପାଇଁ ବି ଜୟନ୍ତ ମହାପାତ୍ର ସଂଜୀବିତ ରହିବେ ଅନେକ କାଳ।

(ସୌଜନ୍ୟ: ସୋସିଆଲ ମିଡିଆ)

Tags: #PadmashreeDrJayantaMahapatra #Poetry #Odisha #EminentPoet #English&OdiaLiterature

Comment