ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପୁରୁଷ ହକି ଦଳକୁ ମିଳିଛି ନୂଆ ପ୍ରଶିକ୍ଷକ। ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନ ଭାରତୀୟ ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି।

କ୍ରେଗ ଫୁଲଟନ ଏବେ ଭାରତୀୟ ପୁରୁଷ ହକି ଦଳରେ ପୂର୍ବତନ କୋଚ ଗ୍ରାହାମ ରିଡଙ୍କ ସ୍ଥାନ ନେବେ। ଓଡ଼ିଶାରେ ହୋଇଥିବା ହକି ପୁରୁଷ ବିଶ୍ଵକପ ପରେ ଅଷ୍ଟ୍ରେଲିଆର ଗ୍ରାହାମ ରିଡ ଭାରତୀୟ ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଥିଲେ।

“ହକି ଇଣ୍ଡିଆ ପକ୍ଷରୁ କ୍ରେଗ ଫୁଲଟନଙ୍କୁ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ ଚୟନ କରାଯାଇଥିବାରୁ ମୁଁ ଆନନ୍ଦିତ। ତାଙ୍କର ହକି ପ୍ରଶିକ୍ଷଣ ଓ ଖେଳର ରଣନୀତି ପ୍ରସ୍ତୁତ କରିବାର ବହୁତ ଅଭିଜ୍ଞତା ଅଛି। ମୁଁ ପୂର୍ବରୁ ଭାରତୀୟ ଦଳ ତରଫରୁ ମଧ୍ୟ ତାଙ୍କ ବିପକ୍ଷରେ ଖେଳିବାକୁ ସୁଯୋଗ ପାଇଛି। ଏବେ ଭାରତୀୟ ହକିକୁ ଆହୁରି ସୁଦୃଢ଼ କରିବା ପାଇଁ ଆମେ ତାଙ୍କ ସହ ମିଶି କାର୍ଯ୍ୟ କରିବୁ। ମୋର ବିଶ୍ଵାସ ତାଙ୍କ ପ୍ରଶିକ୍ଷଣରେ ଦଳର ପ୍ରଦର୍ଶନ ଭଲ ରହିବ”, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

୪୮ ବର୍ଷୀୟ କ୍ରେଗ ଫୁଲଟନ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୯୯୬ ମସିହାରୁ ୨୦୦୫ ମଧ୍ୟରେ ୧୯୫ଟି ଅନ୍ତର୍ଜାତୀୟ ହକି ମ୍ୟାଚ ଖେଳିଛନ୍ତି। ସେ ୧୯୯୬ ଓ ୨୦୦୪ ଅଲିମ୍ପିକ ଏବଂ ୨୦୦୨ର ହକି ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଦଳରୁ ଖେଳିଥିଲେ। ଅନ୍ତର୍ଜାତୀୟ ହକିରୁ ଅବସର ନେବାପରେ ସେ ହକି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ।

“ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହେବା ମୋ ପାଇଁ ଗର୍ବର ବିଷୟ। ଭାରତରେ ହକିର ଏକ ସ୍ୱର୍ଣ୍ଣିମ ଇତିହାସ ରହିଛି। ବର୍ତ୍ତମାନ ଭାରତୀୟ ଦଳରେ ଅନେକ ପ୍ରତିଭାବାନ ଖେଳାଳି ରହିଛନ୍ତି। ମୁଁ ସେମାନଙ୍କ ସହ ମିଶି ଦଳର ପ୍ରଦର୍ଶନକୁ ଆହୁରି ଭଲ କରିବାକୁ ଲକ୍ଷ ରଖିଛି”, କହିଛନ୍ତି କ୍ରେଗ ଫୁଲଟନ।

କ୍ରେଗ ଫୁଲଟନ ଜଣେ କୋଚ ଭାବେ ଅନେକ ସଫଳତା ପାଇଛନ୍ତି। ସେ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକାର ବିଭିନ୍ନ ହକି କ୍ଲବର କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ୨୦୧୫ ମସିହାରେ ତାଙ୍କୁ ଏଫଆଇଏଚ୍ ପକ୍ଷରୁ ଶ୍ରେଷ୍ଠ କୋଚ ପୁରସ୍କାର ମିଳିଥିଲା।

କ୍ରେଗ ୨୦୧୪ ମହିହରେ ଆୟର୍ଲାଣ୍ଡ ହକି ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ଏହି ସମୟରେ ଆୟର୍ଲାଣ୍ଡ ଦଳ ଇତିହାସରେ ପ୍ରଥମ ଥର ପାଇଁ ୨୦୧୬ ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିଲା। ଏହାଛଡ଼ା ସେ ୨୦୨୧ ଟୋକିଓ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ପାଇଥିବା ବେଲଜିୟମ ଦଳର ସହାୟକ କୋଚ ଥିଲେ।

ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ଏଫଆଇଏଚ୍ ହକି ପ୍ରୋ ଲିଗ ପୂର୍ବରୁ କ୍ରେଗ ଫୁଲଟନ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ ହେବା ଦଳର ମନୋବଳକୁ ବୃଦ୍ଧି କରିବ।

Tags: #CraigFulton #ChiefCoach #IndianMen’sHockeyTeam #HockeyIndia

Comment