ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ ପ୍ରୋ-ଲିଗ୍ ହକି ପାଇଁ ରାଉରକେଲାରେ ସୋମବାରଠାରୁ ଅଫଲାଇନ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ବିର୍ସା ମୁଣ୍ଡା ଷ୍ଟାଡିୟମର ୨ ଓ ୬ ନମ୍ବର ଗେଟ ପାଖରେ ଟିକେଟ୍ ବିକ୍ରି ପାଇଁ ଦୁଇଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ଏହି ଟିକେଟ୍ ବିକ୍ରି ସକାଳ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲିବ। ରବିବାର ଏନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା।

ଏହି କାଉଣ୍ଟରରୁ ଲୋକମାନେ ଅନଲାଇନରେ କିଣିଥିବା ଟିକେଟ୍ ମଧ୍ୟ ନେଇପାରିବେ। ସେମାନେ ଅନଲାଇନ ରସିଦ ଦେଖାଇ ନିଜର ଟିକେଟ୍ ହାସଲ କରିପାରିବେ। ଅନ୍ୟପଟେ ମାର୍ଚ୍ଚ ୮ ତାରିଖରେ ହୋଲି ଉତ୍ସବ ଥିବାରୁ ସେଦିନ କେବଳ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଟିକେଟ୍ ବିକ୍ରି କରାଯିବ।

ବିଶ୍ଵକପ ଭଳି ଏଫଆଇଏଚ ପ୍ରୋ-ଲିଗରେ ମଧ୍ୟ ଭାରତ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଭାରତର ମ୍ୟାଚରେ ବିର୍ସାମୁଣ୍ଡା ଷ୍ଟାଡିୟମର ୱେଷ୍ଟ ଷ୍ଟାଣ୍ଡର ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରହିଛି।  ସେହିପରି ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ନର୍ଥ‌ ଓ ସାଉଥ୍ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ-ଜର୍ମାନି ମଧ୍ୟରେ ମ୍ୟାଚ ପାଇଁ ୱେଷ୍ଟ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରହିଛି। ଏହାଛଡ଼ା ଇଷ୍ଟ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୨୦୦ ଟଙ୍କା  ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡର ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ଲେଖାଏଁ ରଖାଯାଇଛି।

ପ୍ରୋ-ଲିଗ୍ ପାଇଁ ଫେବ୍ରୁଆରି ୨୭ ତାରିଖରେ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା ମାତ୍ର ବୁକିଂ ୱେବସାଇଟରେ କିଛି ତ୍ରୁଟି ରହିବାରୁ ବହୁ ହକିପ୍ରେମୀ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ। ଏବେ ସେମାନେ ଅଫଲାଇନ କାଉଣ୍ଟରରୁ ଟିକେଟ୍ ହାସଲ କରିପାରିବେ।

ରାଉରକେଲାରେ ମାର୍ଚ୍ଚ ୧୦ ତାରିଖରୁ ହକି ପ୍ରୋ-ଲିଗ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଅଷ୍ଟ୍ରେଲିଆ ଓ ଜର୍ମାନୀ ପରସ୍ପର ମଧ୍ୟରେ ୬ଟି ମ୍ୟାଚ ଖେଳିବେ।

Tags: #FIHProLeague #OfflineTickets #Hockey #India #Australia #Germany #BirsamundaStadium #Rourkela

Comment