ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟତ୍ତକୁ ଆସୁନି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ। ଦୀର୍ଘ ୨୨ ଘଣ୍ଟାରୁ ଅଧିକ ସମୟ ଧରି ନିଆଁ ଲିଭାଇବାକୁ ଅଣାୟତ ହେଲେଣି ଅଗ୍ନିଶମ ବିଭାଗ କର୍ମଚାରୀ। ନିଆଁ ଲିଭାଇବା ପାଇଁ ୧୬୦ରୁ ଅଧିକ ଓଡ଼ିଶା ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ନ୍ୟାସନାଲ ଫାୟାର ସର୍ଭିସ କର୍ମଚାରୀ ସାମିଲ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୪୩ଟି ଦୋକାନ ପୋଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଉ କିଛି ଦୋକାନର ସଟର ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ପ୍ରଥମେ ଧନ ଜୀବନ ରକ୍ଷା କରିବା ଉପରେ ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ପାରିପାର୍ଶ୍ଵିକ ସ୍ଥିତି ଯୋଗୁଁ ନିଆଁକୁ ଆୟତ୍ତ କରିବାରେ ଚ୍ୟାଲେଞ୍ଜେସ ଆସୁଥିବା କହିଛନ୍ତି ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ। କମ୍ପ୍ଲେକ୍ସ ପଛପଟ କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ନିଆଁ ଆୟତ୍ତ ହୋଇଥିବାବେଳେ ୧୦ ପ୍ରତିଶତ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ଧୂଆଁ ବାହାରକୁ ବାହାରିପାରୁ ନଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ୁଛି। ଅକ୍ସିଜେନ ମାସ୍କ ଲଗାଇ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିବା କହିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ।

ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳକୁ ଲକ୍ଷ୍ମୀ ମାର୍କେଟ କମ୍ଲେକ୍ସରେ ଥିବା ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିଲା। ପରେ ଏହା ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା। ମାର୍କେଟ କମ୍ଲେକ୍ସ ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ଵିତୀୟ ମହଲାକୁ ବ୍ୟାପିଛି। ଖୁବ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି।

ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନଗୁଡ଼ିକୁ ଖାଲି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଯିବାକୁ ଭକ୍ତଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ। ସେପଟେ ନିଆଁ ଲାଗିଥିବା ସମ୍ରାଟ ହୋଟେଲରୁ ପ୍ରାୟ ୧୦୦ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଏସପି ସୂଚନା ଦେଇଛନ୍ତି।

ଜୀବନ ବିକଳରେ ସବୁ ଜିନିଷ ପତ୍ର ଛାଡ଼ି ପଳାଇଥିଲେ ପର୍ଯ୍ୟଟକ। ହୋଟେଲରୁ ଜଣେ ପର୍ଯ୍ୟଟକଙ୍କର ୩ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ପର୍ଯ୍ୟଟକଙ୍କର ସୁନା ଗହଣା ଉଦ୍ଧାର କରାଯାଇଛି।

Tags: #PuriLaxmiMarketComplex #MassiveFire #Fire #MajorFire

LEAVE A REPLY

Please enter your comment!
Please enter your name here