ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦ ସହର ନାମପଲ୍ଲୀ ନିକଟ ବଜାରଘାଟ ଅଞ୍ଚଳର ଆପାର୍ଟମେଣ୍ଟରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ଅଗ୍ନିକାଣ୍ଡରେ ଗୁରୁତ ଭାବେ ଆହତ ହୋଇଥିବା ୩ଜଣ ଡାକ୍ତରଖାନା ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

ସୋମବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ନାମପଲ୍ଲୀ ନିକଟ ବଜାରଘାଟ ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକେ ଦୌଡ଼ି ଆସି ଦେଖିବା ବେଳକୁ ଏକ ଆପାର୍ଟମେଣ୍ଟରେ ନିଆଁ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା।

ନିଆଁ ଲାଗିଥିବା ଆପାର୍ଟମେଣ୍ଟର ତଳେ ଗୋଟିଏ କେମିକାଲ ଦୋକାନ ଏବଂ ଏହା ନିକଟରେ ଏକ କାର ମାରାମତି ଦୋକାନ ରହିଥିଲା। ଆଜି ସକାଳେ ଗୋଟିଏ କାର ମରାମତି ହେଉଥିବା ସମୟରେ ସ୍ପାର୍କିଂ ଯୋଗୁଁ କେମିକାଲ ଦୋକାନରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅଗ୍ନିକାଣ୍ଡ ଯୋଗୁଁ ସେଠାରେ କାର୍ଯ୍ୟରତ ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି।

ତେଲେଙ୍ଗାନା ସରକାର ମୃତକଙ୍କ ପରିବାର ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆକୁ ଆୟତ କରିବା ପାଇଁ ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡ଼ିଥିଲା। କେମିକାଲରେ ଲାଗିଥିବା ନିଆଁ ଉପରେ ପାଣିର କୌଣସି ପ୍ରଭାବ ପଡ଼ିନଥିଲା। ଯାହା ଫଳରେ ଅଗ୍ନିଶମ ବାହିନୀକୁ ନିଆଁ ଆୟତ କରିବା ପାଇଁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ତେବେ ଉପରେ ମହଲାରେ ରହୁଥିବା ଲୋକଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀ ଝରକା ଦେଇ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Tags: #Hydrabad #MassiveFire #Death #accident #India #NampallyApartment

Comment