ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୧ ଜଣ ଗିରଫ, ୩୦୦ ଜଣଙ୍କ ନାଁରେ ମାମଲା
  • ବଦଳିଲେ ଫିରିଙ୍ଗିଆ ଥାନା ଅଧିକାରୀ
  • ଭୁବନେଶ୍ୱରରେ ଚିକିତ୍ସଧୀନ ଏସଡିପିଓ ଏବଂ ଏସଆଇ
  • ଫିରିଙ୍ଗିଆରେ ପୋଲିସ ଛାଉଣୀ
  • ୧୪୪ ଧାରା ଉଠିବା ସହ ସ୍ଵାଭାବିକ ହେଉଛି ପରିସ୍ଥିତ, କମିନି ଗିରଫ ଭୟ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କୁ ଗିରଫ କରାଯାଇଛି ଓ ୩୦୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଲୋକଙ୍କ ଆକ୍ରୋସ ଯୋଗୁଁ ଅଶାନ୍ତ ହୋଇପଡ଼ିଥିବା ଫିରିଆରେ ଲାଗୁ ହୋଇଥିବା ୧୪୪ ଧାରା ଉଠିଛି।

ଫିରିଙ୍ଗିଆରେ ପରିସ୍ଥିତି ସ୍ଵାଭାବିକ ହେଉଥିଲେ ମଧ୍ୟ କମିନି ଗିରଫଦାରୀ ଭୟ। ଗିରଫ ହେବା ଭୟରେ ପୁରୁଷ ଶୂନ୍ୟ ହୋଇଯାଇଛି କେତେକ ଗାଁ।  ତାଟି କବାଟ ପକାଇ ଘର ଭିତରେ ରହୁଛନ୍ତି ଲୋକେ। ଦୋକାନ ବଜାର ଖୋଲିଛି। ଏପଟେ ସ୍ଵତନ୍ତ୍ର ଟିମ୍ ଗଠନ କରି ଉପଦ୍ରବକାରୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ଗିରଫ ୨୧ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି।

ଅଗଷ୍ଟ ୫ରେ ଜଳିଲା ଫିରିଙ୍ଗିଆ ଥାନା 

ଜବତ ହୋଇଥିବା ଗଞ୍ଜେଇକୁ ପୋଲିସ ବିକ୍ରି କରୁଥିବା ଅଭିଯୋଗ କରି ଗତ ଅଗଷ୍ଟ ୫ ତାରିଖ, ଶନିବାର ଦିନ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଫିରିଙ୍ଗିଆ ଥାନା ଆଇଆଇସି ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି କାଣ୍ଡ ଘଟାଇଥିଲେ।

ଉତ୍ତ୍ୟକ୍ତ ଜନତା ଫିରିଙ୍ଗିଆ ଥାନା ପରିସରରେ ଭଙ୍ଗାରୁଜା କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ି ଏବଂ ଗଞ୍ଜେଇ ଭର୍ତ୍ତି ବସ୍ତା ମଧ୍ୟ ଜାଳି ଦେଇଥିଲେ।

କ’ଣ ପାଇଁ ଜଳିଲା ଥାନା?

ଗତ ଅଗଷ୍ଟ ୩ ତାରିଖ ରାତିରେ ପୋଲିସ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ ବୁଢ଼ାକାମ୍ବା ଗାଁକୁ ଯିବା ସମୟରେ ଫିରିଙ୍ଗିଆ ସରପଞ୍ଚଙ୍କ ସମେତ ଗ୍ରାମବାସୀ ଅଟକାଇଥିଲେ। ପରେ ଏକ ଭିଡିଓ ଉତ୍ତୋଳନ କରି କନ୍ଧମାଳ ଏସପିଙ୍କ ନିକଟକୁ ପଠାଇଥିଲେ। ଜବତ ହେଉଥିବା ଗଞ୍ଜେଇକୁ ପୋଲିସ ବିକ୍ରି କରୁଥିବା ଅଭିଯୋଗ କରିବା ସହ ଫିରିଙ୍ଗିଆ ଥାନାର ଆଇଆଇସି ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ।

ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଅଗଷ୍ଟ ୫ ତାରିଖକୁ ଫିରିଙ୍ଗିଆ ଅଞ୍ଚଳବାସୀ ବ୍ଲକ ଛକରେ ବାଉଁଶ ବାନ୍ଧି ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ପୋଲିସ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ପହଞ୍ଚିଥିବାବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକେ ଥାନା ଭିତରେ ପଶି ଭଙ୍ଗା ରୁଜା କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ।

ଜେଲ୍ ହାଜତରେ ୨୧ ଅଭିଯୁକ୍ତ

ଫିରିଙ୍ଗିଆ ଥାନା ପୋଡ଼ି ମାମଲାରେ ୨୧ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସମସ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଏହି ଘଟଣାରେ ଆପିସିର ବିଭିନ୍ନ ଦଫା ସହ ଆର୍ମସ ଆକ୍ଟ, ସର୍ବସାଧାରଣ ସମ୍ପତ୍ତି ନଷ୍ଟ ନିରୋଧ ଆଇନ, ଫୌଜଦାରୀ ଆଇନ ସଂଶୋଧନ ଆକ୍ଟର ବିଭିନ୍ନ ଧାରାରେ ୩୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ନିଆଁ ଯୋଗୁଁ ଫିରିଙ୍ଗିଆ ଥାନାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଭିନ୍ନ ସମୟରେ ଜବତ ହୋଇ ଥାନାରେ ରହିଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ୨୦୦ରୁ ଅଧିକ ବାଇକ୍ ଲୋକ ନେଇ ଯାଇଥିବା ଅଭିଯୋଗ ହୋଇଛି। ୪ଟି କାର, ୧୦ରୁ ଅଧିକ ବାଇକ ପୋଡ଼ିବା ସହ ୧୦ ଟନରୁ ଅଧିକ ଗଞ୍ଜେଇ ପୋଡ଼ି ଦେଇଥିବା ଅଭିଯୋଗ ହେଉଛି।

ବଦଳିଲେ ଥାନା ଅଧିକାରୀ

ଅଶାନ୍ତ ହୋଇଫଡ଼ିଥିବା ଫିରିଙ୍ଗିଆରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଫିରିଙ୍ଗିଆ ଥାନା ଓ ସହରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଦଙ୍ଗାରେ ଆହ ହୋଇଥିବା ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏପଟେ ଥାନା ଅଧିକାରୀ ତପନ କୁମାର ନାହକ ଓ ଦୁଇ ଜଣ ହୋଇଗାର୍ଡଙ୍କୁ ବଦଳି କରାଯାଇଛି। ଫିରିଙ୍ଗିଆ ଥାନାରେ ନୂଆ ଅଧିକାରୀ ଭାବେ ଯୋଗ ଦେଇଛନ୍ତି ରମେଶକୁମାର ପ୍ରଧାନ।

ସବୁ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।

Tags: #Phulbani #PhiringiaPoliceStation #Fire #Arrest #PoliceInvestigation

Comment