ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ଫିସିଂ ହାରବରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ରୁ ଊର୍ଦ୍ଧ୍ଵ ଡଙ୍ଗା ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୫୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି।

ରବିବାର ବିଳମ୍ବିତ ରାତିରେ ବିଶାଖାପାଟଣା ଫିସିଂ ହାରବରରେ ଅଟକି ରହିଥିବା ଡଙ୍ଗା ମଧ୍ୟରୁ ଗୋଟିଏ ଡଙ୍ଗାରେ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଏହି ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଫଳରେ ସେଠାରେ ଥିବା ୪୦ରୁ ଊର୍ଦ୍ଧ୍ଵ ଡଙ୍ଗା ନିଆଁ ଲାଗି ଜଳିଯାଇଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡଙ୍ଗାଗୁଡ଼ିକରେ ଡିଜେଲ ଥିବାରୁ ନିଆଁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ବହୁ ଉଦ୍ୟମ ପରେ ରାତି ପ୍ରାୟ ୧୨ଟା ୩୦ ମିନିଟରେ ଲାଗିଥିବା ନିଆଁକୁ ଭୋର ପ୍ରାୟ ସାଢ଼େ ୪ଟା ବେଳକୁ ଲିଭା ଯାଇଥିଲା ବୋଲି ବିଶାଖାପାଟଣା ଆଞ୍ଚଳିକ ଅଗ୍ନିଶମ ବିଭାଗ ଅଧିକାରୀ ନିରଞ୍ଜନ ରେଡ୍ଡୀ କହିଛନ୍ତି।

ଅଗ୍ନିଶନ ବିଭାଗ, ବିଶାଖାପାଟଣା ବନ୍ଦର ବିଭାଗ, ଓ୍ଵାଇଜାଗ ଷ୍ଟିଲ ପ୍ଲାଣ୍ଟ, ଏଚପିସିଏଲ ବିଶାଖା ବିଶୋଧନାଗାର ଏବଂ କରୋମଣ୍ଡେଲ ଫର୍ଟିଲାଇଜରର ମୋଟ ୨୦ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲା।

ରବିବାର ଦିନ ଭାରତ-ଅଷ୍ଟ୍ରେଲିଆ ବିଶ୍ଵକପ ଫାଇନାଲ ମ୍ୟାଚ ପରେ ଗୋଟିଏ ଡଙ୍ଗାରେ ପାର୍ଟି କରିବା ପାଇଁ ଦୁଇଟି ଯୁବ ଗୋଷ୍ଠୀ ଯାଇଥିଲେ। ସେମାନଙ୍କ ମଧ୍ୟରେ ବେଟିଂ ଟଙ୍କାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଜଣେ ଯୁବକ ଉତ୍ତ୍ୟକ୍ତ ହୋଇ ଗୋଟିଏ ଡଙ୍ଗାରେ ନିଆଁ ଲଗାଇ ଦେଇଥିଲେ। ପରେ ଅନ୍ୟ କିଛି ଯୁବକ ଅନ୍ୟ ଡଙ୍ଗାଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଏହି ସମସ୍ତ ଘଟଣା ସମ୍ପର୍କରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ପୋଲିସ ଜାଣିବାକୁ ପାଇଥିବା କହିଛନ୍ତି ବିଶାଖାପାଟଣା ଆଞ୍ଚଳିକ ଅଗ୍ନିଶମ ବିଭାଗ ଅଧିକାରୀ ନିରଞ୍ଜନ ରେଡ୍ଡୀ।

ଏହି ଅଗ୍ନିକାଣ୍ଡ ପରେ ଫିସିଙ୍ଗ ହାରବର ନିକଟରେ ବିଶାଖାପାଟଣାର ସମସ୍ତ ମତ୍ସ୍ୟଜୀବୀ କ୍ଷତିପୂରଣ ଦାବିରେ ଆନ୍ଦୋନଳ କରିଥିଲେ। ପୋଡ଼ି ଯାଇଥିବା ଡଙ୍ଗା ପ୍ରତି ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ଜିଲ୍ଲାପାଳ, ପୋଲିସ, ବନ୍ଦର ବିଭାଗ, ସ୍ଥାନୀୟ ବିଧାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ଏହି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ କ୍ଷୟକ୍ଷତିର ଆକଳନ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ।

Tags: #VisakhapatnamFishingHarbour #Fire #Boatsgutted #India

LEAVE A REPLY

Please enter your comment!
Please enter your name here