ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ହକିର ବିକାଶ ପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁଭାରମ୍ଭ ହୋଇଛି, ‘ଗ୍ରାସରୁଟସ୍ ଡେଭଲପମେଣ୍ଟ ପ୍ରୋଗ୍ରାମ’। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର କୋଣ ଅନୁକୋଣରୁ ପ୍ରତିଭାବାନ ଯୁବ ହକି ଖେଳାଳିଙ୍କୁ ଚିହ୍ନଟ କରାଯାଇ ସ୍ଵତନ୍ତ୍ର ତାଲିମ ଦିଆଯିବ। ଏଥିଲାଗି ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ଦେଶବ୍ୟାପୀ ଜୋନାଲସ୍ତରୀୟ ହକି ଚାମ୍ପିୟନସିପ୍ ଆୟୋଜନ ହେବ। ଏନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ।
ଗ୍ରାସରୁଟ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ ଅଧୀନରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କରି ଭାରତକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ଏହି ଜୋନ୍ଗୁଡ଼ିକରୁ ପ୍ରତିଯୋଗିତା ଜରିଆରେ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଯୁବ ହକି ଖେଳାଳିମାନଙ୍କୁ ବାଛିବ ହକି ଇଣ୍ଡିଆ। ଏହି ଖେଳାଳିମାନଙ୍କୁ ନେଇ ଜୋନାଲସ୍ତରୀୟ ଟିମ୍ ଗଠନ କରାଯାଇ ଟୁର୍ଣ୍ଣାମେଣ୍ଟ କରାଯିବ। ସେହିପରି ଏହି ପ୍ରତିଯୋଗିତା ମାଧ୍ୟମରେ ଖେଳାଳିମାନଙ୍କ ପ୍ରତିଭାକୁ ଚିହ୍ନଟ କରାଯାଇ ପାରିବ। ଭବିଷ୍ୟତରେ ଏହି ଖେଳାଳିମାନଙ୍କୁ ସ୍ଵତନ୍ତ୍ର ତାଲିମ ଦିଆଯାଇ ଭାରତୀୟ ଦଳ ପାଇଁ ପ୍ରସ୍ତୁତ କରାଯିବ।
ତେବେ ଜୋନାଲସ୍ତରୀୟ ପ୍ରତିଯୋଗିତାରୁ ଦେଶକୁ ଏକାଧିକ ଦକ୍ଷ ହକି ଖେଳାଳି ମିଳିବେ। ମାତ୍ର ସମସ୍ତଙ୍କୁ ଭାରତୀୟ ଜାତୀୟ ଦଳରେ ସାମିଲ କରିବା ସମ୍ଭବ ନୁହେଁ। କାରଣ ଦଳକୁ ନିର୍ଦ୍ଦିଷ୍ଟ ସଂଖ୍ୟାବିଶିଷ୍ଟ କରିବାକୁ ହେବ। ଏଥିଲାଗି ଖେଳାଳିମାନେ ଜୋନ୍ଓ୍ଵାରୀ ଦଳ ଏବଂ ଭାରତୀୟ ଜାତୀୟ ଦଳ (କ) ଓ (ଖ)ରେ ସାମିଲ ହେବା ସହ ଭାରତୀୟ ଦଳ ଲାଗି କ୍ୟାମ୍ପରେ ରହିପାରିବେ।ଗୋଲ୍କିପର ଏବଂ ଡ୍ରାଗ୍ ଫ୍ଲିକିଂ ପୋଜିସନ ଉପର ଗୁରୁତ୍ଵ
ହକି ଖେଳରେ ଟିମ୍ର ସବୁ ପୋଜିସନ ଖେଳାଳିଙ୍କ ଭଲ ପ୍ରଦର୍ଶନ ଜରୁରୀ ହୋଇଥିଲେ ହେଁ, ଗୋଲ୍କିପର ଏବଂ ଡ୍ରାଗ୍ ଫ୍ଲିକର ଟିମ୍ରେ ବେଶ୍ ଗୁରୁତ୍ଵ ବହନ କରନ୍ତି। ଯଦି ୨୦୨୦ ଅଲିମ୍ପିକ୍ସ କଥା ବିଚାର କରାଯାଏ, ତେବେ ଭାରତୀୟ ଦଳର ଗୋଲ୍କିପର ଏବଂ ଡ୍ରାଗ୍ ଫ୍ଲିକରଙ୍କ ପ୍ରଦର୍ଶନ ଦଳକୁ ପଦକ ଜିତାଇବାରେ ସାହାଯ୍ୟ କରିଥିଲା। ସେହିପରି ଯେଉଁ ଦଳମାନଙ୍କରେ ଉନ୍ନତମାନର ଡ୍ରାଗ୍ ଫ୍ଲିକର ଏବଂ ଗୋଲ୍କିପର ଅଛନ୍ତି ସେହି ଦଳସବୁ ଅନ୍ତର୍ଜାତୀୟ ହକିରେ ପ୍ରଭାର ବିସ୍ତାର କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏବି ଦୁଇ ପୋଜିସନ୍ ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଛି। ତେଣୁ ‘ଗ୍ରାସରୁଟସ୍ ଡେଭଲପମେଣ୍ଟ ପ୍ରୋଗ୍ରାମ’ରେ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କୋଚ୍ମାନଙ୍କ ତାଲିମକ୍ରମେ ଭାରତୀୟ ଖେଳାଳିମାନଙ୍କର ଗୋଲ୍କିପିଂ ଏବଂ ଡ୍ରାଗ୍ ଫ୍ଲିକିଂ କୌଶଳକୁ କିପରି ଆହୁରି ଉନ୍ନତ ଓ ଶକ୍ତ କରାଯାଇ ପାରିବ ସେଥିପାଇଁ ହକି ଇଣ୍ଡିଆ ବ୍ୟବସ୍ଥା କରିଛି।
“ଭାରତରେ ହକି କ୍ରୀଡ଼ାର ଏକ ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ହକି ଇଣ୍ଡିଆ ପକ୍ଷରୁ ଗ୍ରାସରୁଟସ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଆରମ୍ଭ ହେଉଛି। ଏଥିରେ ଯୁବ ହକି ପ୍ରତିଭା ଅନ୍ଵେଷଣ ସହ ଆମେ ଗୋଲ୍କିପର ଏବଂ ଡ୍ରାଗ୍ ଫ୍ଲିକର ପୋଜିସନ୍ ଉପରେ ବିଶେଷ ଗୁରୁତ୍ଵ ଦେଉଛୁ। ଦଳରେ ଏହି ଦୁଇ ପୋଜିସନ୍ର ଖେଳାଳିଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଖେଳାଳିମାନଙ୍କୁ ନେଇ ୧୦ ଜଣିଆ ଟିମ୍ ଗଠନ ହେବ। ଏହି ଟିମ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଉନ୍ନତମାନ କୋଚ୍ମାନେ ସ୍ଵତନ୍ତ୍ର ତାଲିମ ଦେବେ”, କହିଛନ୍ତି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ।ଜୁନିୟର ଏବଂ ସବ୍-ଜୁନିୟର ଖେଳାଳିଙ୍କ ବିକାଶ ଉପରେ ଫୋକସ୍
ଭାରତୀୟ ସିନିୟର ଦଳକୁ ଶକ୍ତ କରିବାକୁ ହେଲେ ତୃଣମୂଳ ସ୍ତରରୁ ଏହାର ମୂଳଦୁଆ ଅର୍ଥାତ୍ ସବ୍-ଜୁନିୟର ଏବଂ ଜୁନିୟର ଖେଳାଳିଙ୍କୁ ଶକ୍ତ କରିବାକୁ ହେବ। ତେଣୁ ଗ୍ରାସରୁଟସ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଜରିଆରେ ଏହି ଦୁଇ ବର୍ଗର ଖେଳାଳିମାନଙ୍କ ଉପରେ ବିଶେଷ ଫୋକସ୍ ଦିଆଯିବା ନେଇ ହକି ସଭାପତି କହିଛନ୍ତି।
ତେଣୁ ହକି ଇଣ୍ଡିଆ ପକ୍ଷରୁ ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ଭାରତୀୟ ହକି ଦଳ ଗଠନ କରାଯିବ। ଏହି ଟିମ୍ଗୁଡ଼ିକ ଘରୋଇ ବା ଡୋମେଷ୍ଟିକ୍ ଟୁର୍ଣ୍ଣାମେଣ୍ଟ ଖେଳିବା ସହ ଦେଶ ବାହାରକୁ ଯାଇ ବିଦେଶୀ ଟିମ୍ ସହ ଟୁର୍ଣ୍ଣାମେଣ୍ଟ ଖେଳିବେ। ଏହା ଖେଳାଳିମାନଙ୍କୁ ଅଭିଜ୍ଞତା ହାସଲ କରିବାରେ ସାହାଯ୍ୟ କରିବ ଏବଂ ଖେଳ ପ୍ରତି ସେମାନଙ୍କ ଆଗ୍ରହ ସୃଷ୍ଟି କରିବ।
Tags: #Hockey #HockeyIndia #DilipTirkey #GrassRootsDevelopmentProgramme #ହକିଇଣ୍ଡିଆ #ହକି