ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ପ୍ରୋ-ଲିଗ ହକି। ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଲିଗର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ। ଏହି ଲିଗ ଜରିଆରେ ଓଡ଼ିଶାର ହକିପ୍ରେମୀମାନେ ପୁଣିଥରେ ଅନ୍ତର୍ଜାତୀୟ ହକି ମ୍ୟାଚ ଦେଖିବାକୁ ସୁଯୋଗ ପାଇବେ।

୨୦୨୨-୨୩ ବର୍ଷ ପାଇଁ ଖେଳାଯାଉଥିବା ଏହି ପ୍ରୋ-ଲିଗରେ ଭାରତ ନିଜର ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବ। ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚରେ ୨୦୨୩ ବିଶ୍ଵକପ ବିଜେତା ଜର୍ମାନୀକୁ ଭେଟିବ। ଏହି ମ୍ୟାଚରେ ଦୁଇ ଦଳଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକବିଲା ଦେଖିବାକୁ ମିଳିବ।

ହକିପ୍ରେମୀମାନେ ମ୍ୟାଚରେ ଓଡ଼ିଆ ଖେଳାଳି ନିଲମ ସଂଜୀପ ଖେସଙ୍କୁ ଦେଖିବାକୁ ପାଇବେ। ସେହିଭଳି ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରିତ ସିଂହ, ହାର୍ଦିକ ସିଂହ, ମନପ୍ରୀତ ସିଂହଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ଏହି ପ୍ରୋ-ଲିଗରେ ବିଶ୍ଵ ହକିର ୩ ଟାଣୁଆ ଦଳ ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ପରସ୍ପର ମଧ୍ୟରେ ମୁକବିଲା କରିବେ। ପ୍ରତି ଦଳ ପରସ୍ପର ସହ ୨ଟି ଲେଖାଏଁ ମ୍ୟାଚ ଖେଳିବେ। ଏଥିଲାଗି ସବୁ ଦଳ ରାଉରକେଲାରେ ପହଞ୍ଚି ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି। ସମସ୍ତେ ମ୍ୟାଚ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି।

ଭାରତ ବର୍ତ୍ତମାନ ଏଫଆଇଏଚ୍ ପ୍ରୋ-ଲିଗରେ ଚତୁର୍ଥ ସ୍ଥାନରେ ରହିଛି। ଦଳ ୪ ମ୍ୟାଚରୁ ୨ ଟି ଜିତିଥିବାବେଳେ ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲା ଏବଂ ଅନ୍ୟଟି ଡ୍ର ରଖିଥିଲା।

ଭାରତ ଶୁକ୍ରବାର ନିଜର ଜର୍ମାନୀ ସହ ପ୍ରଥମ ମ୍ୟାଚ ଖେଳିବା ପରେ ମାର୍ଚ୍ଚ ୧୨ ତାରିଖରେ ଅଷ୍ଟ୍ରେଲିଆ ସହ ମୁକବିଲା କରିବା। ଏହାପରେ ମାର୍ଚ୍ଚ ୧୩ ଓ ୧୫ ତାରିଖରେ ପୁଣି ଜର୍ମାନୀ ଓ ଅଷ୍ଟ୍ରେଲିଆ ସହ ମ୍ୟାଚ ଖେଳିବ।

Tags: #FIHProLeague #Hockey #IndiavsGermany #BirsamundaStadium #HockeyIndia #Rourkela

Comment