ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତିରୁ ଲାଗି ଥିବା ନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରାଯାଇ ପାରିନାହିଁ। ନିଆଁ ଲିଭାଇବାକୁ ନାକେଦମ ହୋଇପଡ଼ିଲେଣି ଅଗ୍ନିଶମ ବିଭାଗ କର୍ମଚାରୀ। ଗୁରୁବାର ଦିନ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି।
“ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ତାଲମପ୍ରାପ୍ତ ଅଗ୍ନିଶମ କର୍ମଚାରୀମାନେ ଲାଗିପଡ଼ିଛନ୍ତି। ବିଭିନ୍ନ ଅଧୁନିକ ଯନ୍ତ୍ରପାତି ବ୍ୟବହାର କରି ନିଆଁ ଲିଭାଇବାକୁ ଚେଷ୍ଟା ଚାଲିଛି”, କହିଛନ୍ତି ଅଗ୍ନିଶମ ଡିଜି।
ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳକୁ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିଲା। ପରେ ଏହା ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା। ମାର୍କେଟ କମ୍ପ୍ଲେକ୍ସ ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ଵିତୀୟ ମହଲାକୁ ବ୍ୟାପିଛି।
ନିଆଁକୁ ଆୟତ୍ତ କରିବା ସମୟରେ ଧୂଆଁ ଯୋଗୁଁ ୩ ଜଣ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ ଲିଭା କାର୍ଯ୍ୟରେ ୧୨୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ୧୨ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ରହିଛି। ସଂର୍କୀର୍ଣ୍ଣ ରାସ୍ତା କାରଣରୁ ଅଗ୍ନିଶମ ବିଭାଗ ପାଇଁ ନିଆଁ ଲିଭାଇବା ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ମାର୍କେଟ କମ୍ପ୍ଲେକ୍ସର ପଛପଟ କାନ୍ଥ ଭାଙ୍ଗି ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚାଲିଛି।
ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନଗୁଡ଼ିକୁ ଖାଲି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଯିବାକୁ ଭକ୍ତଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ। ସେପଟେ ନିଆଁ ଲାଗିଥିବା ସମ୍ରାଟ ହୋଟେଲରୁ ପ୍ରାୟ ୧୦୦ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଏସପି ସୂଚନା ଦେଇଛନ୍ତି।
Tags: #PuriLaxmiMarketComplex #MassiveFire #Fire #MajorFire