ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ୍‌ ପ୍ରୋ-ଲିଗ୍ ହକିରେ ରବିବାର ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ହରାଇ ନିଜର ଦ୍ଵିତୀୟ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୩ଟି ଗୋଲ ଦେଇ ମ୍ୟାନ୍ ଅଫ୍ ଦ ମ୍ୟାଚ୍‌ ହୋଇଛନ୍ତି।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ପ୍ରଥମ କ୍ଵାର୍ଟରରୁ ହିଁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ମ୍ୟାଚ ଆରମ୍ଭ ହେବାର ମାତ୍ର ୨ ମିନିଟ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ଦେଇ ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜସୁଆ ବେଲ୍ଟ ଏହି ଗୋଲ ଦେଇଥିଲେ। ଏହାପରେ ଭାରତୀୟ ଦଳ ନିଜର ଖେଳକୁ ଆହୁରି ସୁଦୃଢ କରି ପ୍ରତିପକ୍ଷ ଉପରେ ଅଧିକ ଆକ୍ରମଣ କରିବା ଆରମ୍ଭ କରିଥିଲା।

ମ୍ୟାଚର ପ୍ରଥମ କ୍ୱାର୍ଟର ସରିବାକୁ ଆଉ ଦୁଇ ମିନିଟ ଥିବାବେଳେ କ୍ୟାପଟେନ ହରମନପ୍ରୀତ ଲଗାତର ଦୁଇଟି ଗୋଲ ଦେଇ ଭାରତକୁ ଅଗ୍ରଣୀ କରିଥିଲେ। ସେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରରୁ ଏହି ଦୁଇଟି ଗୋଲ ଦେବାରେ ସଫଳ ହୋଇଥିଲେ।

ଦ୍ଵିତୀୟ କ୍ୱାର୍ଟରରେ ମଧ୍ୟ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ ଜାରି ରଖି ଆଉ ଦୁଇଟି ଗୋଲ ଦେଇଥିଲା। ଭାରତୀୟ ଦଳର ଦୁଇ ଯୁବ ଷ୍ଟ୍ରାଇକର ଯୁଗରାଜ ସିଂହ ଓ ସେଲଭମ କାର୍ଥି ଏହି ଗୋଲ ଦେଇଥିଲେ। ଏହି ଦୁଇ ଗୋଲ ବଳରେ ଭାରତ ମ୍ୟାଚର ମଧ୍ୟାନ୍ତର ସୁଦ୍ଧା ୪-୧ ଗୋଲରେ ଆଗୁଆ ହୋଇଥିଲା।

ଭାରତୀୟ ଦଳ ଅଧିକ ଗୋଲ ଦେଇ ଅଗ୍ରଣୀ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ହାର ମାନି ନଥିଲା। ମ୍ୟାଚର ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଦଳ ଭାରତ ଉପରେ ଅଧିକ ଆକ୍ରମଣ କରିଥିଲା। ଅଷ୍ଟ୍ରେଲିଆର କେ ୱିଲିଅଟ ଓ ବେନ ଷ୍ଟେନିସ ଗୋଟିଏ ଲେଖାଏଁ ଗୋଲ ଦେଇ ମ୍ୟାଚରେ ଦଳର ଗୋଲ ବ୍ୟବାଧାନକୁ କମ କରିବାରେ ସଫଳ ହୋଇଥିଲେ।

ମ୍ୟାଚ ଶେଷ ହେବାକୁ ଆଉ ୫ ମିନିଟ ବାକିଥିବାବେଳେ କ୍ୟାପଟେନ ହରମନପ୍ରୀତ ନିଜର ତୃତୀୟ ଗୋଲ ଦେଇ ଭାରତକୁ ୫-୩ ଗୋଲରେ ଅଗୁଆ କରିଥିଲେ। ଏହାପରେ ଅଷ୍ଟ୍ରେଲିଆ ଆଉ ଏକ ଗୋଲ ଦେଇଥିଲେ ମଧ୍ୟ ମ୍ୟାଚ ଜିତିବାରେ ସଫଳ ହୋଇନଥିଲା।

 

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଦେଖିବା ପାଇଁ ହକିପ୍ରେମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥିଲା। ମ୍ୟାଚ ବେଳେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଲିଥିଲା।

ଏହି ବିଜୟ ଦ୍ଵାରା ଭାରତ ୨୦୨୨-୨୩ ହକି ପ୍ରୋ-ଲିଗରେ ନିଜର ଚତୁର୍ଥ ବିଜୟ ହାସଲ କରିଛି। ଏଥିସହ ଦଳ ଲିଗରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି। ଅଧିନାୟକ ହରମନପ୍ରୀତ ନିଜର ବ୍ୟକ୍ତିଗତ ୧୦ ଗୋଲ ଜରିଆରେ ଲିଗର ଟପସ୍କୋରର୍ ବନିଛନ୍ତି। ସୋମବାର ଭାରତୀୟ ଦଳ ଜର୍ମାନୀ ବିପକ୍ଷରେ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ।

Tags: #FIHProLeague #Hockey #IndiavsAustralia #TeamIndia #HockeyIndia #HockeyAustralia #BirsaMundaHockeyStadium

Comment