ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିବା ପରୀକ୍ଷା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେଇଥିବାବେଳେ ସୋମବାର ଦିନ ଇଂରାଜୀ ପରୀକ୍ଷା ଦେଇଛନ୍ତି। ଖରାକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା।

ମାଟ୍ରିକ ପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ଲାଗି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମୋଟ ୩,୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫,୪୧,୨୪୭ ଜଣ ଛାତ୍ରଛାତ୍ରୀ। ପରୀକ୍ଷା ପାଇଁ ୩୧୬ଟି ନୋଡାଲ କେନ୍ଦ୍ର ଖୋଲା ଯାଇଥିବାବେଳେ ନକ୍ସଲ ପ୍ରବଣ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି।

ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବାକ୍ସ ନେବାକୁ ଅନୁମତି ରହିଛି। ପ୍ରଶ୍ନପତ୍ର ଯେପରି ଲିକ୍ ନହୁଏ ସେଥିପାଇଁ କଡ଼ା ବନ୍ଦୋବସ୍ତ କରାଯାଇଛି। ପରୀକ୍ଷା ସମୟରେ ଡ୍ୟୁଟିରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋବାଇଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି।

ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟର ଦ୍ଵିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍ଏ–୨) ପରୀକ୍ଷା ଆରମ୍ଭ ହେଇଛି। ଏହି ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା ପରିଚାଳନା କରାଯାଉଛି।

କପି ରୋକିବାକୁ ଗଠନ ହୋଇଛି ମୋଟ ୭୪ଟି ସ୍କ୍ୱାର୍ଡ। ୫୭ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିବେ ଓ ପରୀକ୍ଷା ସମ୍ପର୍କରେ ତଦାରଖ କରିବାକୁ ନିୟୋଜିତ ହୋଇଛନ୍ତି। ଅନ୍ୟ ପଟେ ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରଗୁଡ଼ିକରେ ପ୍ରଚୁର ମାତ୍ରାରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।

Tags: #Exam #Education #MatricExamination #Education #School

Comment