ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ମିଳିଲା ଦୁଇ ଦୁଇଟି ଓସ୍କାର ଆଓ୍ଵାର୍ଡ। ୨୦୨୨ରେ ରିଲିଜ ହୋଇଥିବା ସୁପରହିଟ ସାଉଥ ସିନେମା ‘ଆରଆରଆର’ର ‘ନାଟୁ ନାଟୁ’ ଗୀତ ଏବଂ ତାମିଲ ଭାଷାରେ ନିର୍ମିତ ଡକ୍ୟୁମେଣ୍ଟାରି ‘ଦ ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’କୁ ମିଳିଛି ଏହି ଐତିହାସିକ ସଫଳତା। ଏହି ସଫଳତା ପାଇଁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓସ୍କାର ଆଓ୍ଵାର୍ଡ ଜିତିଥିବା ଦୁଇ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଏସଏସ ରାଜାମୌଲିଙ୍କ ସିନେମା ‘ଆରଆରଆର’ ଓସ୍କାର ଆଓ୍ଵାର୍ଡ ୨୦୨୩ରେ ବେଷ୍ଟ ଅରିଜିନାଲ ସଙ୍ଗସ୍ କାଟଗୋରିରେ ଆଓ୍ଵାର୍ଡ ଜିତିଛି। ଏହା ସହିତ ଗୁନୀତ ମୋଙ୍ଗାଙ୍କ ଡକ୍ୟୁମେଣ୍ଟାରି ‘ଦ ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’ ଓସ୍କାର ଆଓ୍ଵାର୍ଡ ବିଜୟୀ ହୋଇଛି। କ୍ଷୁଦ୍ର ଚଳଚ୍ଚିତ୍ର କ୍ୟାଟାଗୋରିରେ ଏହି ଡକ୍ୟୁମେଣ୍ଟାରି ସିନେମାକୁ ଓସ୍କାର ଆଓ୍ଵାର୍ଡ ମିଳିଛି।

୩୯ ମିନିଟର ତାମିଲ ଭାଷାରେ ନିର୍ମିତ ‘ଡି ଏଲିଫ୍ୟାଣ୍ଟ ହୁଇସପରର୍ସ’ ଗୋଟିଏ ଛୁଆ ହାତୀ ଏବଂ ଦମ୍ପତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଉପରେ ଆଧାରିତ।

ପୂର୍ବରୁ ‘ଆରଆରଆର’ର ‘ନାଟୁ ନାଟୁ’ ଗୀତ ବେଶ୍ ଚର୍ଚ୍ଚା ସାଉଣ୍ଟିଥିବା ବେଳେ ବର୍ତ୍ତମାନ ମଧ୍ୟ ଏହାର କ୍ରେଜ କମି ନାହିଁ। ଓସ୍କାର ଆଓ୍ଵାର୍ଡ ଜିତିବା ପରେ ରାମ ଚରଣ, ଜୁନିଅର ଏନଟିଆର ଏବଂ ଏସ ଏସ ରାଜାମୌଲିଙ୍କ ଖୁସି କହିଲେ ନସରେ। ଏହି ଆଓ୍ଵାର୍ଡ ପରେ ‘ଆରଆରଆର’ ଟିମ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଥମେ ଗୋଲ୍ଡ ଗ୍ଲୋବ ଆଓ୍ଵାର୍ଡ ୨୦୨୩ ଜିତିବା ପରେ ଏବେ ଓସ୍କାର ଜିତିବାର ସୌଭାଗ୍ୟ ହାସଲ ହୋଇଛି।

Tags: #Entertainment #Oscars2023 #RRR #TheElephantWhishepers #OscarsAward #SouthCinema #TamilFilm

Comment