ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରୋ-ଲିଗରେ ଜର୍ମାନୀକୁ ପୁଣିଥରେ ହରାଇଲା ଟିମ୍ ଇଣ୍ଡିଆ
  • ୬-୩ ଗୋଲ ବ୍ୟବଧାନରେ ମ୍ୟାଚ ଜିତିଲା ଭାରତ
  • ବିର୍ସା ମୁଣ୍ଡା ଷ୍ଟାଡିୟମରେ ରୋମାଞ୍ଚକର ମ୍ୟାଚକୁ ଦେଖିଲେ ହଜାର ହଜାର ଦର୍ଶକ

ଏଫଆଇଏଚ୍ ପ୍ରୋ-ଲିଗରେ ଭାରତୀୟ ପୁରୁଷ ହକି ଦଳ ବିଶ୍ଵ ବିଜେତା ଜର୍ମାନୀକୁ ପୁଣିଥରେ ପରାସ୍ତ କରିଛି। ସୋମବାର ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏକ ରୋମାଞ୍ଚକର ମୁକବିଲାରେ ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ମୁକବିଲାରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଯୁବ ଷ୍ଟ୍ରାଇକର ସେଲଭମ କାର୍ଥି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି।

ବିଶ୍ଵବିଜୟୀ ଜର୍ମାନୀ ବିପକ୍ଷରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ
ଭାରତ-ଜର୍ମାନୀ ମ୍ୟାଚର ପ୍ରଥମ କ୍ଵାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। ଆରମ୍ଭରୁ ଜର୍ମାନୀ ପ୍ରଥମ ଗୋଲ ଦେଇ ଅଗ୍ରଣୀ ହୋଇଥିଲା। ମ୍ୟାଚରେ ପ୍ରଥମେ ଜର୍ମାନୀ ଅଗ୍ରଣୀ ହୋଇଥିଲେ ମଧ୍ୟ ଦ୍ଵିତୀୟ କ୍ୱାର୍ଟରର ଭାରତର ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଏକ ଗୋଲ ଦେଇ ସ୍କୋର ବରାବର କରିଦେଇଥିଲେ।

ଭାରତୀୟ ଦଳ ପ୍ରଥମ ଗୋଲ ହେବାର ଏକ ମିନିଟ ମଧ୍ୟରେ ଆଉ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ଅଗ୍ରଣୀ ହୋଇଥିଲା। ମ୍ୟାଚର ୨୧ତମ ମିନିଟରେ ଦଳର ଫରୱାର୍ଡ ଖେଳାଳି ଅଭିଷେକ ଏକ ସୁନ୍ଦର ପାସରୁ ଏହି ଗୋଲଟି ହାସଲ କରିଥିଲେ। ଏହାପରେ ଜର୍ମାନୀର ଗୋଞ୍ଜାଲୋ ପିଲାଟ ପେନାଲ୍ଟି କର୍ଣ୍ଣରରୁ ଦଳ ପାଇଁ ଏକ ଗୋଲ ଦେଇଥିଲେ।

ଦ୍ଵିତୀୟ କ୍ୱାର୍ଟରରେ ହିଁ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଓ ସେଲଭମ କାର୍ଥି ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ୪-୨ ଗୋଲ ବ୍ୟବଧାନରେ ଅଗ୍ରଣୀ କରାଇଥିଲେ। ମ୍ୟାଚର ଶେଷ ଦୁଇ କ୍ୱାର୍ଟରରେ ମଧ୍ୟ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ।

ବିଶ୍ଵବିଜୟୀ ଜର୍ମାନୀ ବିପକ୍ଷରେ ୬ଟି ଗୋଲ ସ୍କୋର କରି ଭାରତୀୟ ଦଳ ନିଜର ଦମ ଦେଖାଇଥିଲା। ମ୍ୟାଚରେ ଭାରତ ପକ୍ଷରୁ ସେଲଭମ କାର୍ଥି ଓ ଅଭିଷେକ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ। ସବୁଠୁ ବଡ଼ କଥା ହେଲା ଏହି ଦୁଇ ଯୁବ ଖେଳାଳି ଫିଲ୍ଡ ଗୋଲ ମାଧ୍ୟମରେ ଏହି ସବୁ ଗୋଲ ହାସଲ କରିଥିଲେ।

ମ୍ୟାଚ ବଞ୍ଚାଇବା ପାଇଁ ଜର୍ମାନୀର ଆପ୍ରାଣ ଉଦ୍ୟମ

ଜର୍ମାନୀ ଦଳ ମ୍ୟାଚର ମଧ୍ୟାନ୍ତର ସୁଦ୍ଧା ୨ ଗୋଲ ବ୍ୟବଧାନରେ ପଛୁଆ ରହିଥିଲା। ଏହାପରେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଦଳର ଖେଳାଳିମାନେ ଭାରତ ଉପରେ ଅଧିକ ଆକ୍ରମଣ କରିବା ଆରମ୍ଭ କରିଥିଲେ।  ଏହି ଦୁଇ କ୍ୱାର୍ଟରରେ ଦଳକୁ ୪ଟି ପେନାଲ୍ଟି କର୍ଣ୍ଣର ମଧ୍ୟ ମିଳିଥିଲା, ହେଲେ ଦଳ ଏଗୁଡ଼ିକୁ ଗୋଲରେ ପରିଣତ କରିବାରେ ସଫଳ ହୋଇନଥିଲା। ମ୍ୟାଚର ଦ୍ଵିତୀୟ ଭାଗରେ ଜର୍ମାନୀ କେବଳ ଗୋଟିଏ ଗୋଲ କରିଥିଲା, ହେଲେ ଏହା ଦଳକୁ ଜିତାଇବାରେ ସହାୟ ହୋଇନଥିଲା।

ଷ୍ଟାଡିୟମରେ ମ୍ୟାଚ ଦେଖି ଦର୍ଶକ ଉତ୍ସାହିତ
ଭାରତ-ଜର୍ମାନୀ ହାଇ ଭୋଲ୍ଟଟେଜ ମ୍ୟାଚରେ ହଜାର ହଜାର ଦର୍ଶକ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହି ବିଶ୍ଵସ୍ତରୀୟ ମୁକବିଲାର ଆନନ୍ଦ ନେବା ପାଇଁ ହକିପ୍ରେମୀଙ୍କ ମଧ୍ୟରେ ଦେଖାଦେଇଥିଲା ବିଶେଷ ଉତ୍ସାହ। ଷ୍ଟାଡିୟମରେ ଭାରତୀୟ ଦଳକୁ ସେମାନେ ଖୁବ ସମର୍ଥନ କରିଥିଲେ।

ଏଫଆଇଏଚ୍ ପ୍ରୋ-ଲିଗରେ ମଙ୍ଗଳବାର ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଜର୍ମାନୀ। ମ୍ୟାଚଟି ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ। ଏହାପରେ ବୁଧବାର ରାଉରକେଲାରେ ଲିଗର ଶେଷ ମ୍ୟାଚ ଖେଳିବା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ପଡ଼ିଆକୁ ଓହ୍ଲାଇବେ।

Tags: #FIHProLeague #Hockey #Indiavsgermany #TeamIndia #HockeyIndia #BirsaMundaHockeyStadium

LEAVE A REPLY

Please enter your comment!
Please enter your name here