ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଦେଖିବାକୁ ମିଳିଛି। ବୁଧବାର ଦିନ ଏହା ପ୍ରଭାବରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଝଡ଼ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି, ଘଡ଼ଘଡ଼ି ଏବଂ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଏବଂ କନ୍ଧମାଳ।

ପଶ୍ଚିମା ଝଡ଼ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗର ପଶ୍ଚିମା-ନିମ୍ନଚାପ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ଭାବେ ବିପଦଜନକ ବିଜୁଳି ଘଡ଼ଘଡ଼ି  ସହ ଝଡ଼ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି।

ବିଜୁଳି, ଘଡ଼ଘଡ଼ି ଓ ଝଡ଼ ପବନ ନେଇ ଚେତାବନୀ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକର ଚାଷୀମାନଙ୍କୁ ଅମଳ କ୍ଷମ ରବି ଫସଲର ଆମଳ କରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଜୁଳି ଏବଂ ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।

Tags: #Weather #WeatherUpdates #Rainfall #RainfallWarning

Comment