ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ୍ ପ୍ରୋ-ଲିଗରେ ବୁଧବାର ଭାରତୀୟ ପୁରୁଷ ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଲିଗର ଶେଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ସୁଟଆଉଟରେ ୪-୩ ଗୋଲରେ ହରାଇଛି। ଏଥିସହ ଟିମ୍ ଇଣ୍ଡିଆ ରାଉରକେଲାରେ ଏ ପର୍ଯ୍ୟନ୍ତ କୌଣସି ମ୍ୟାଚରେ ପରାଜିତ ନହେବାର ରେକର୍ଡ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ଅଧିନାୟକ ହରମନପ୍ରିତ ସିଂହ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି।

ବୁଧବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିବାରୁ ମ୍ୟାଚର ଫଳାଫଳ ପେନାଲ୍ଟି ସୁଟଆଉଟ ଦ୍ଵାରା ନିର୍ଦ୍ଧାରିତ ହୋଇଥିଲା। ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣ କରି ପ୍ରଥମ ମିନିଟରେ ଗୋଲ ଦେଇଥିଲା। ଭାରତୀୟ ଯୁବ ଖେଳାଳି ବିବେକ ସାଗର ପ୍ରସାଦ ଦଳକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରରୁ ଏହି ଗୋଲ ଦେଇଥିଲେ।

ଏହାପରେ ଅଷ୍ଟ୍ରେଲିଆର ନାଥାନ ଏଫ୍ରାମ୍ସ ମ୍ୟାଚର ୩୬ତମ ମିନିଟରେ ଏକ ଗୋଲ ଦେଇ ସ୍କୋର ବରାବର କରିଦେଇଥିଲେ। ଏହାର ଜବାବରେ ଭାରତର ସୁଖଜିତ ସିଂହ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ଦଳକୁ ପୁଣି ଅଗ୍ରଣୀ କରାଇଲେ।

ପୂର୍ବ ମ୍ୟାଚ ଭଳି ଅଷ୍ଟ୍ରେଲିଆ ଏହି ମ୍ୟାଚରେ ମଧ୍ୟ ଭାରତ ଆଗରେ ଏତେ ସହଜରେ ହାର ମାନି ନଥିଲା। ୫୧ ତମ ମିନିଟରେ ନାଥାନ ଏଫ୍ରାମ୍ସ ଆଉ ଏକ ଗୋଲ ଦେଇ ମ୍ୟାଚକୁ ୨-୨ ଗୋଲରେ ବରାବର ରଖିଲେ।

ମ୍ୟାଚ ଶେଷ ସୁଦ୍ଧା ସ୍କୋର ୨-୨ରେ ସମାନ ରହିବାରୁ ପେନାଲ୍ଟି ସୁଟଆଉଟ ହୋଇଥିଲା। ପେନାଲ୍ଟିରେ ଉଭୟ ଦଳର ଖେଳାଳିମାନେ ସମାନ ୩ଟି ଲେଖାଏଁ ଗୋଲ କରିଥିଲେ। ଏହାପରେ ହୋଇଥିବା ପେନାଲ୍ଟି ସଡନ ଡେଥରେ ହରମନପ୍ରିତ ଗୋଲ ଦେଇ ଭାରତକୁ ଅଗ୍ରଣୀ କରିଥିଲେ। ଭାରତୀୟ ଗୋଲକିପର ଶ୍ରୀଜେସ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଅଷ୍ଟ୍ରେଲିଆର ଗୋଲକୁ ରୋକିଥିଲେ। ଏହା ଭାରତକୁ ମ୍ୟାଚରେ ବିଜୟୀ କରାଇଥିଲା।

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରୋ-ଲିଗର ଶେଷ ମ୍ୟାଚକୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଷ୍ଟାଡିୟମରଏ ଉପସ୍ଥିତ ଥିଲେ ସମସ୍ତ ହକିପ୍ରେମୀ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ମଜା ନେଇଥିଲେ। ରାଉରକେଲାରେ ଭାରତୀୟ ଦଳ ପ୍ରୋ-ଲିଗର ସମସ୍ତ ମତ୍ୟଛ ଜିତିଥିବାରୁ ସେମାନେ ବହୁତ ଆନନ୍ଦିତ ଥିଲେ।

ଭାରତ ୨୦୨୨-୨୩ ଏଫଆଇଏଚ୍ ପ୍ରୋ-ଲିଗରେ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଦଳ ଲିଗରେ ୮ଟି ମ୍ୟାଚ ଖେଳି, ୭ଟି ଜିତିଛି ଓ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି। ଦଳ ଜୁନ ଓ ଜୁଲାଇ ମାସରେ ପ୍ରୋ-ଲିଗର ଅନ୍ତିମ ପର୍ଯ୍ୟାୟ ମ୍ୟାଚ ଖେଳିବ। ଲିଗ ଶେଷ ସୁଦ୍ଧା ଯଦି ଭାରତ ନିଜର ପ୍ରଥମ ସ୍ଥାନ ବଜାୟ ରଖେ ତେବେ ଲିଗର ନୂତନ ଚାମ୍ପିୟନ ହେବ।

Tags: #FIHProLeagueHockey #IndvsAus #Hockey #TeamIndia #HockeyIndia #BirsaMundaHockeyStadium

Comment