ଓଡ଼ିଶାଲାଇଭ୍ପଲିଟିକାଲ ବ୍ୟୁରୋ

ପ୍ୟାରୀମୋହନ ମହାପାତ୍ରଙ୍କଠାରୁ ବିଜୟ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର୍‌

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶା ରାଜନୀତିରେ ଏବେ ‘ବାବୁ’ମାନଙ୍କ ଭିଡ଼। ଚାକିରି କାର୍ଯ୍ୟକାଳ ଶେଷ ହେବା ପରେ ଅନେକ ପ୍ରଶାସନିକ ଅଧିକାରୀ ବିଭିନ୍ନ ରାଜନୈତିକ ଦଳରେ ଯୋଗ ଦେଉଛନ୍ତି। କିଏ ସିଧାସଳଖ ନିର୍ବାଚନ ଲଢୁଛନ୍ତି ତ ଆଉ କିଏ ବିଭିନ୍ନ ପଦବୀରେ ଥଇଥାନ ହୋଇଛନ୍ତି।

ଅତୀତରେ ପ୍ୟାରୀମୋହନ ମହାପାତ୍ର, ଅପରାଜିତା ଷଡ଼ଙ୍ଗୀ, ଅରୂପ ପଟ୍ଟନାୟକ, ପ୍ରକାଶ ମିଶ୍ର, ଅମର ପଟ୍ଟନାୟକ ଏବଂ ନଳିନୀକାନ୍ତ ପ୍ରଧାନଙ୍କ ଭଳି ପ୍ରମୁଖ ପ୍ରଶାସକ ରାଜନୀତିରେ ଯୋଗ ଦେଇଛନ୍ତି। ଏବେ ସେହି ରାସ୍ତାରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପରେ ପ୍ରଶାସକରୁ ରାଜନେତା ପାଲଟିଥିବା କେତେକ ପ୍ରମୁଖ ଚେହେରାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ପ୍ରଭାବଶାଳୀ ପ୍ୟାରୀ

୨୦୦୦ ମସିହାରେ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ପ୍ୟାରୀ ମୋହନ ମହାପାତ୍ର ଲୋକଲୋଚନକୁ ଆସିଥିଲେ। ସେ ଯଦିଓ ଦଳର କୌଣସି ପଦ ପଦବୀରେ ନଥିଲେ, କିନ୍ତୁ ସେ ଦଳ ଭିତରେ ପ୍ରଭାବଶାଳୀ ଥିଲେ ବୋଲି ଚର୍ଚ୍ଚା ହେଉଥିଲା। ତାଙ୍କୁ ସେତେବେଳେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିଲା। ଉଭୟ ସରକାର ଏବଂ ଦଳ ଭିତରେ ପ୍ୟାରୀଙ୍କର ପ୍ରଭାବ ରହିଥିଲା।

୨୦୧୨ ମେ’ ୨୯ର ମିଡନାଇଟ୍‌ ଅପରେସନ ଅଭିଯୋଗରେ ପ୍ୟାରୀଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରେ ସେ ଓଡ଼ିଶା ଜନମୋର୍ଚ୍ଚା ନାଁରେ ଏକ ରାଜନୈତିକ ଦଳ ଗଠନ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ।

କଂଗ୍ରେସରେ ବିଜୟ

୧୯୭୬ ବ୍ୟାଚର ଆଇଏଏସ୍‌ ଅଧିକାରୀ ବିଜୟ ପଟ୍ଟନାୟକ ୨୦୧୦ରୁ ୨୦୧୩ ଯାଏଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ରହିଥିଲେ। ଏହା ପୂର୍ବରୁ ସେ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ଚାକିରିରୁ ଅବସର ନେବା ପରେ ବିଜୟଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଏବଂ ମାନବାଧିକାର କମିଶନର ସଦସ୍ୟ ଥିଲେ।

ଗତ କିଛି ମାସ ତଳେ ଭୁବନେଶ୍ୱର କ୍ଲବର ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ବିଜୟ ପ୍ରାର୍ଥୀ ହୋଇଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ବିଜୟ ପରାଜିତ ହୋଇଥିଲେ। ତେବେ ଫେବ୍ରୁଆରି ୧୦ରେ ବିଜୟ କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟଙ୍କ ଯୋଗଦାନ ଓଡ଼ିଶା କଂଗ୍ରେସକୁ କେତେ ବଳ ଯୋଗାଇବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ପଦ୍ମ ଦଳରେ ଅପରାଜିତା

ସେହିପରି ଆଉ ଜଣେ ପ୍ରଭାବଶାଳୀ ଆଇଏଏସ୍‌ ଅଫିସର ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ। ଓଡ଼ିଶାରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଥିଲେ। ପରେ ସେ କେନ୍ଦ୍ର ଡେପୁଟେସନରେ ଯାଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଅପରାଜିତା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେପିରେ ଯୋଗ ଦେଇଥିଲେ। ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ନେଇ ମଧ୍ୟ କିଛି କମ୍‌ ଚର୍ଚ୍ଚା ହେଉନିା ମୁମ୍ବାଇରୁ ସେ ଓଡ଼ିଶା ଆସିବା ପରେ ବିଜେଡିରେ ଯୋଗ ଦେଇଥିଲେ। ସେ ବିଜୁ ଯୁବ ବାହିନୀର ରାଜ୍ୟ ଆବାହକ ଥିଲେ। ୨୦୧୯ରେ ମଧ୍ୟ ଦଳ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ଏବେ ସେ ଓଡ଼ିଶା ମୋ ପରିବାରର ରାଜ୍ୟ ଆବାହକ ଅଛନ୍ତି।

ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ

ପ୍ରଶାସକରୁ ରାଜନୀତିକୁ ଆସିଥିବା ଆଗ ଧାଡ଼ିର ଆଉ ଜଣେ ଚେହେରା ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ। ୧୯୯୪ ବ୍ୟାଚର ଆଇଏଏସ୍‌ ଅଧିକାରୀ ଅଶ୍ୱିନୀ ପୂର୍ବରୁ କଟକ, ବାଲେଶ୍ୱର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ସେ କେନ୍ଦ୍ର ଡେପୁଟେସନରେ ଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ୨୦୧୯ ଡିସେମ୍ବର ୫ରେ ସେ ବିଜେଡି-ବିଜେପିର ମିଳିତ ପ୍ରାର୍ଥୀ ଭାବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୧ରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ ହୋଇଥିଲା। ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଅଶ୍ୱିନୀ ବୈଷ୍ଣବଙ୍କ ପାଳି ପଡ଼ିଥିଲା। ତାଙ୍କୁ ରେଳ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିଲା।

ନିର୍ବାଚନ ରାଜନୀତିରେ ଭାଗ୍ୟ ପରଖିଛନ୍ତି ଅନେକ ଅଧିକାରୀ

ଅନ୍ୟପଟେ ଓଡ଼ିଶା ପୋଲିସର ଡିଜି ଥିବା ପ୍ରକାଶ ମିଶ୍ର ମଧ୍ୟ ରାଜନୀତିରେ ପ୍ରବେଶ କରି ନିଜର ଭାଗ୍ୟ କରିଛନ୍ତି। ୨୦୨୯ରେ ସେ କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ହେଲେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ ଥିବା ନଳିନୀକାନ୍ତ ପ୍ରଧାନ ମଧ୍ୟ ୨୦୧୯ରେ ବିଜେଡିରେ ଯୋଗଦେଇ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

ସେହିପରି ପ୍ରଶାସକରୁ ରାଜନେତା ହୋଇଥିବା ଅମର ପଟ୍ଟନାୟକ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କୁ ଦଳ ପ୍ରଥମେ ମୁଖପାତ୍ର ଏବଂ ଆଇଟି ସେଲ୍‌ ଦାୟିତ୍ୱ ଦେଇଥିଲା। ଏବେ ସେ ରାଜ୍ୟସଭା ସଦସ୍ୟ ଅଛନ୍ତି।

ଏହା ପୂର୍ବରୁ ପୋଲିସ ଅଧିକାରୀ ଥିବା ଅନାଦୀ ଚରଣ ସାହୁ ଏବଂ ଅଶୋକ ସାହୁ ମଧ୍ୟ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇ ନିଜ ବଳ କଷିଛନ୍ତି। ଅନାଦୀ କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ଥରେ ସାଂସଦ ହୋଇଥିବା ବେଳେ ଅଶୋକ ବିଜେପି ଟିକେଟରେ କନ୍ଧମାଳ ଲୋକସଭା ଆସନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ନିକଟରେ ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନ ବେଳେ ନୂଆପଡ଼ାର ସହକାରୀ ଜିଲ୍ଲାପାଳ ଥିବା ମହେନ୍ଦ୍ର ବଢ଼େଇ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି।

ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ଓଡ଼ିଶା ପାଇଁ କିଛି ନୂଆ ଘଟଣା ନୁହେଁ। ଭାରତର ବିଭିନ୍ନ ରାଜ୍ୟରେ ଏହି ଧାରା ଦେଖିବାକୁ ମିଳୁଛି। ‘ବାବୁ’ମାନଙ୍କୁ ବିଭିନ୍ନ ରାଜନୈତିକ ଦଳମାନେ ସେମାନଙ୍କର ‘ଆସେଟ୍‌’ ବୋଲି ବିବେଚନା କରୁଛନ୍ତି। ତେଣୁ ସାଂପ୍ରତିକ ରାଜନୀତିକ ପାଣିପାଗରୁ ଜଣାଡୁଛି ଯେ, ୨୦୨୪ ନିର୍ବାଚନ ବେଳେ ଆହୁରି ଅନେକ ପ୍ରଶାସନିକ ଅଧିକାରୀ ସକ୍ରିୟ ରାଜନୀତିରେ ଯୋଗ ଦେଇପାରନ୍ତି।

Tags: #Politics #BijayaPatnaik #Congress #RahulGandhi #NaveenPatnaik #OdishaPolitics

Comment