ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ପଶ୍ଚିମା ଝଡ଼ର ପ୍ରଭାବ ଜାରି ରହିଛି। ଏଥିଲାଗି ଦୁଇ ଦିନ ହେଲା ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ଜୋରରେ ପବନ ହେବାର ଦେଖାଯାଇଛି। ସୋମବାର ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସୋମବାର ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ନୂଆପଡ଼ା, ମୟୁରଭଞ୍ଜ, ନବରଙ୍ଗପୁର, କେନ୍ଦୁଝର ଓ କଳାହାଣ୍ଡି ରହିଛି। ଅନ୍ୟପଟେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଏବେ ରାଜ୍ୟର ହାରାହାରି ତାପମାତ୍ରା ୩୦ ଡିଗ୍ରୀ ତଳକୁ ଖସିଛି। ଏହା ଦ୍ଵାରା ରାଜ୍ୟବାସୀ ଖରାର ପ୍ରକୋପରୁ କିଛି ମାତ୍ରାରେ ରକ୍ଷା ପାଇଛନ୍ତି।

ରବିବାର ଓଡ଼ିଶାର ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଅଞ୍ଚଳର ବହୁ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହୋଇଥିଲା। ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ କୁଆପଥର ବର୍ଷାରେ ମାଟିରେ ବରଫ ଭଳି ଏକ ଆସ୍ତରଣ ପଡ଼ିଥିବାର ଦେଖାଦେଇଥିଲା। ଆଦିନିଆ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ରବି ଫସଲ ନଷ୍ଟ ହୋଇଥିବାର ଦେଖାଯାଇଛି।

ଓଡ଼ିଶାରେ ଗତ ଦୁଇଦିନ ମଧ୍ୟରେ କୋରାପୁଟ ଜିଲ୍ଲାର ଜୟପୁରରେ ସର୍ବାଧିକ ୧୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ମାଲକାନଗିରି ଜିଲ୍ଲା ମଥିଲିରେ ୧୨୯, ଭଦ୍ରକ ଜିଲ୍ଲା ତିହିଡ଼ିରେ ୧୧୨, ବାଲେଶ୍ୱର ଜିଲ୍ଲା ରେମୁଣାରେ ୯୧, ଭଦ୍ରକ ଜିଲ୍ଲା ବାସୁଦେବପୁରରେ ୯୦, କଟକ ଜିଲ୍ଲା ନରସିଂହପୁରରେ ୫୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Tags: #WeatherUpdates #Rainfall #WesternDisturbance #Temperature #Odisha

Comment