ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଏବଂ ଓଡ଼ିଆଙ୍କ ନିତିଦିନିଆ ଜୀବନ ସହ ପଖାଳର ସମ୍ପର୍କ ଅତି ନିବିଡ଼ ଓ ପୁରାତନ। ଗଣ୍ଡାଏ ପଖାଳକୁ ଢୋକେ ତୋରାଣି ମନକୁ ଶାନ୍ତି ଆତ୍ମାକୁ ତୃପ୍ତ କରିଦିଏ।

ଗାଁଠୁ ସହର ପ୍ରତି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ମଧ୍ୟରେ ରହିଛି ପଖାଳ। ଦିନେ ଗରିବଙ୍କ ଖାଦ୍ୟ କୁହାଯାଉଥିବା ପଖାଳ ଏବେ ବଡ଼ବଡ଼ିଆଙ୍କ ପସନ୍ଦ ପାଲଟିଯାଇଛି। ପଖାଳ ଏବେ ଓଡ଼ିଆଙ୍କ ପରିଚୟ ପାଲଟିଛି। ଓଡ଼ିଆ ସଂସ୍କୃତି ସହ ଯୋଡ଼ି ହୋଇ ରହିଛି ପଖାଳ। ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ପଖାଳ ଦିବସ’ ରୂପେ ପାଳନ କରାଯାଉଛି।

ଆମ ସଂସ୍କୃତି ଏବଂ ପରାମ୍ପରା ସହ ପଖାଳର ସମ୍ପର୍କ ମଧ୍ୟ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ପଖାଳ ମୋହରେ ପଡ଼ିଛନ୍ତି। ସେଥିପାଇଁ ତ ବର୍ଷ ସାରା ଦାରୁ ଦିଅଁଙ୍କ ପାଖରେ ପଖାଳ ଭୋଗ ଲାଗି କରାଯାଇଥାଏ। ଶ୍ରୀ ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରେ ପଖାଳର ସ୍ଵତନ୍ତ୍ର ସ୍ଥାନ ରହିଛି।

ଆଧୁନିକତାର ଚାକଚକ୍ୟ ଭିତରେ ହଜିଯାଇନି ପଖାଳର ସ୍ଵାଦ ଏବଂ ଚାହିଦା। ଏବେ ପଖାଳର ଭାରି ଡିମାଣ୍ଡ। ଝୁମ୍ପୁଡ଼ି କୁଡ଼ିଆଠାରୁ ଆରମ୍ଭ କରି ବଡ଼ବଡ଼ ହୋଟେଲରେ ପଖାଳର ଭଲ ଚାହିଦା ରହିଥିବା ଦେଖିବାକୁ ମିଳୁଛି। ହୋଟେଲରେ ପଖାଳ ସାଙ୍ଗକୁ ବିଭିନ୍ନ ସୁଆଦିଆ ଖାଦ୍ୟର ମଜା ନେଉଛନ୍ତି ଲୋକ।

ପଖାଳ ପେଟ ଥଣ୍ଡା ରଖିବା ସହ ମନକୁ ଶାନ୍ତି ଦେଇଥାଏ। ବିଶେଷ କରି ଖରା ଦିନ ହେଲେ ପଖାଳର ଆଦର ଆହୁରି ବଢ଼ିଯାଏ। ପଖାଳର ଚାହିଦାକୁ ଦେଖି ଏବେ ହୋଟେଲମାନଙ୍କରେ ଗ୍ରାହକଙ୍କ ମନଲାଖି ପଖାଳ ସାଙ୍ଗକୁ ସାଇଡ ଆଇଟମ ସବୁ ପ୍ରସ୍ତୁତ କରାଯାଉଛି।

ସହରରେ ଥିବା ତାରକା ହୋଟେଲମାନଙ୍କରେ ପଖାଳ ଖାଇବାକୁ ବଡ଼ବଡ଼ିଆଙ୍କର ଆଗ୍ରହ ଦେଖିବାକୁ ମିଳୁଛି। ଏବେ ପଖାଳ କେବଳ ବାସିରେ ସୀମିତ ହୋଇ ରହିନାହିଁ, ସମୟ ପରିବର୍ତ୍ତନ ହେବା ସହ ପଖାଳର ରୂପ ଏବଂ ନାଁ ବି ବଦଳିଯାଇଛି। ଗ୍ରାହକଙ୍କ ପସନ୍ଦ ଅନୁସାରେ ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ବାସି ପଖାଳ ଏବଂ ପରିବା ପଖାଳ ଆଦି ଭିନ୍ନ ପ୍ରକାରର ପଖାଳ ଉପଲବ୍ଧ ହେଲାଣି।

ସୋରିଷ ତେଲରେ ସୋରିଷ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ଏବଂ ରସୁଣ ଛୁଙ୍କ ଦିଆ ଦହି ପଖାଳର ଚାହିଦା ବଢ଼ିଛି। ତା’ସାଙ୍ଗକୁ ଶାଗ ଭଜା, ଆଳୁ ଭଜା, ବାଇଗଣ ଭରତା, ବଡ଼ିଚୂରା, ଚୁନା ମାଛ, କଖାରୁଫୁଲ ବରା ଏମିତି ଅନେକ ଆଇଟମମାନ ପ୍ରସ୍ତୁତ କରାଯାଇଥାଏ। ପ୍ରତିବର୍ଷ ପଖାଳ ଦିବସକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥାଏ।

Tags: #PakhalaDivas #OdiaPakhala #Pakhala #ପଖାଳଦିବସ #ପଖାଳ #ଓଡ଼ିଆପଖାଳ

LEAVE A REPLY

Please enter your comment!
Please enter your name here