ଓଡ଼ିଶାଲାଇଭ୍ ବ୍ୟୁରୋ

ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ନିବିଡ଼। ଓଡ଼ିଆ ପରମ୍ପରା ସହ ଯୋଡ଼ି ହୋଇରହିଛି ପଖାଳ।

ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି।

ପଖାଳ ଦିବସରେ ଲୋକଙ୍କ ଚାହିଦାକୁ ଦେଖି ହୋଟେଲମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ କରି ପରସା ଯାଏ।

ଆଜି ଓଡ଼ିଶାର ଘରେ ଘରେ ଜମିଛି ପଖାଳ। ଲୋକମାନେ ମଧ୍ୟ ଆଜି ଘରେ ସ୍ୱତନ୍ତ୍ର ପଖାଳ ପ୍ରସ୍ତୁତ କରି ଖାଇବା ସହ ସମ୍ପର୍କୀୟଙ୍କୁ ଖୁଆଉଛନ୍ତି। ପଖାଳ କଂସା ସାଙ୍ଗକୁ ମାଛ ଭଜା, ସୁଖୁଆ ଭଜା, ଆଳୁଭଜା, ସାଗ ଖରଡ଼ା, ଆଳୁ ଭର୍ତ୍ତା, କଦଳୀ ଭଜା, ବଡ଼ି ଚୁରା ଏବଂ ବାଇଗଣ ପୋଡ଼ା ଆଦି ବିଭିନ୍ନ ରକମର ଖାଦ୍ୟ ପଖାଳ କଂସା ଚାରିପାଖେ ସଜାଡ଼ି ପଖାଳ ଦିବସ ମନାଉଛନ୍ତି ଲୋକେ।

ଏଥର ପଖାଳ ଦିବସ ବୁଧବାର ଦିନ ପଡ଼ୁଥିବାରୁ ବେଶ ଜମିବ ଏଥରର ଖାଇବା। ପଖାଳ କଂସା ପାଖରେ ବଢ଼ାଯିବ ଭଳିକି ଭଳି ଆମିଷ ଆଇଟମ ସାଙ୍ଗକୁ ନିରାମିଷ। ଗତ ବର୍ଷ ସୋମବାର ଦିନ ପଖଳ ଦିବସ ପଡ଼ିଥିବାରୁ ଅଧିକାଂଶ ଲୋକଙ୍କ ପଖାଳ କଂସା ପାଖରୁ ଗାଏବ ହୋଇଯାଇଥିଲା ଆମିଷ ଆଇଟମ। ଏଥର କିନ୍ତୁ ପୁରା ଜମିବ ପଖାଳ ଦିବସ।

Tag: #PakhalaDivas #OdiaPakhala #Pakhala #ପଖାଳଦିବସ #ପଖାଳ #ଓଡ଼ିଆପଖାଳ

Comment