ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ନାମଲେଖା ଆରମ୍ଭ ହେବାକୁ ଯାଉଛି। ଭାରତରେ ଥିବା ୧୨୪୮ଟି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ନାମଲେଖା ହେବ। ଏଥିଲାଗି ମାର୍ଚ୍ଚ ୨୭ ତାରିଖରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯଦି ଆପଣମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ପିଲାଙ୍କ ଆଡମିଶନ କରିବାକୁ ଚାହାନ୍ତି, ତେବେ ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା।

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଅନଲାଇନ ପଞ୍ଜୀକରଣ ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୭ ତାରିଖ ଯାଏଁ ଚାଲିବ। ଅନ୍ୟପଟେ ଦ୍ଵିତୀୟରୁ ଉର୍ଦ୍ଧ୍ଵ ଶ୍ରେଣୀରେ ନାମଲେଖା ପାଇଁ ଏପ୍ରିଲ ୩ ତାରିଖରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ।

ଯୋଗ୍ୟତା

  • ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଶିଶୁର ବୟସ ୬ ବର୍ଷରୁ ୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ଦ୍ଵିତୀୟରୁ ଉର୍ଦ୍ଧ୍ଵ ଶ୍ରେଣୀରେ ନାମଲେଖା ପାଇଁ ପିଲାଙ୍କ ବୟସ ୭ ବର୍ଷରୁ ଅଧିକ ହୋଇଥିବା ଦରକାର

କେନ୍ଦ୍ରୀୟ ବିଦ୍ୟାଳୟର ନାମଲେଖା ପ୍ରକ୍ରିୟାରେ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ପାଇଁ ୧୫ ପ୍ରତିଶତ ଓ ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ପାଇଁ ୭.୫ ପ୍ରତିଶତ ସିଟ୍ ସରଂକ୍ଷିତ ରହିବ। ଏହାଛଡ଼ା ଭିନ୍ନକ୍ଷମ ପିଲାଙ୍କ ପାଇଁ ୩ ପ୍ରତିଶତ ସିଟ୍ ସରଂକ୍ଷିତ ରହିବ।

କେମିତି କରିବେ ଆବେଦନ

  • କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୱେବସାଇଟ୍ kvsonlineadmission.kvs.gov.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘ଆଡମିଶନ ରେଜିଷ୍ଟ୍ରେସନ’ ପେଜକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପେଜରେ ଆଡମିଶନ କରିବାକୁ ଥିବା ଶ୍ରେଣୀରେ କ୍ଲିକ କରନ୍ତୁ
  • ସେଠାରେ ଦିଆଯାଇଥିବା ନିର୍ଦେଶଗୁଡ଼ିକୁ ଭଲ ଭାବେ ପଢ଼ନ୍ତୁ
  • ଏହାପରେ ତଳେ ଥିବା ‘ପ୍ରୋସିଡ’ ଅପ୍ସନକୁ କ୍ଲିକ କରନ୍ତୁ
  • ପରବର୍ତ୍ତୀ ପେଜରେ ଅନଲାଇନ ଫର୍ମକୁ ଠିକ ଭାବେ ପୂରଣ କରନ୍ତୁ
  • ଫର୍ମପୂରଣ କରି ସାରିବା ପରେ ‘ସବମିଟ୍’ ଉପରେ କ୍ଲିକ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟଆଉଟ ରଖନ୍ତୁ

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ କେବଳ ଅନଲାଇନରେ ପଞ୍ଜୀକରଣ ହେବ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ମୋବାଇଲ ଆପ ଜରିଆରେ ମଧ୍ୟ ଏହି ପଞ୍ଜୀକରଣ କରିହେବ।

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପାଇଁ ଏପ୍ରିଲ ୨୦ ତାରିଖରେ ମେରିଟ ଲିଷ୍ଟ ବାହାରିବ। ଏହାପରେ ୨୧ ତାରିଖରୁ ନାମଲେଖା ଆରମ୍ଭ ହେବ। ଯଦି ଏହି ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସିଟ ଖାଲି ରହେ, ତେବେ ଏପ୍ରିଲ ୨୮ ତାରିଖରେ ଦ୍ଵିତୀୟ ମେରିଟ ଲିଷ୍ଟ ବାହାରିବ।

ଅନ୍ୟପଟେ ଦ୍ଵିତୀୟରୁ ଉର୍ଦ୍ଧ୍ଵ ଶ୍ରେଣୀ ପାଇଁ ନାମଲେଖା ଏପ୍ରିଲ ୧୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨୯ ତାରିଖ ଯାଏଁ ଚାଲିବ। ନାମଲେଖା ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୱେବସାଇଟରେ ଉପଲବ୍ଧ।

Tags: #KendriyaVidyalaya #Admission #EducationYear2023-24 #Education #KendriyaVidyalayaSanghathan

Comment