ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ପଶ୍ଚିମା ଝଡ଼ର ପ୍ରଭାବ ଜାରି ରହିଛି। ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଦିନ ଧରି ପ୍ରବଳ ବର୍ଷା ହେଉଛି। ଓଡ଼ିଶାର କିଛି ସ୍ଥାନରେ କୁଆ ପଥର ପଡ଼ିଥିବାର ଦେଖାଯାଇଥିଲା। ଏବେ ଗୋଟିଏ ପଶ୍ଚିମା ଝଡ଼ ସରିନଥିବାବେଳେ ଗୁରୁବାରଠାରୁ ଓଡ଼ିଶାକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମା ଝଡ଼। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଅସୁଥିବା ପଶ୍ଚିମା ଝଡ଼ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ପ୍ରବେଶ କରିବ। ଏହାର ପ୍ରଭାବରେ ଆହୁରି ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବ। ଏଥିଲାଗି ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାର ୯ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି ରହିଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପ୍ରବଳ ବେଗରେ ପବନ ହେବାର ସମ୍ଭାବନା ରହିଛି।

ସେହିଭଳି ଏବେ ଓଡ଼ିଶାରେ ଜାରି ରହିଥିବା ବର୍ଷା ଓ ଝଡ଼ ତୋଫାନର ପ୍ରଭାବ ଚାଷ ଉପରେ ପଡ଼ିଛି। କେତେକ ସ୍ଥାନରେ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଛି। ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଅନ୍ୟପଟେ ଏବେ ପଶ୍ଚିମା ଝଡ଼ ପାଇଁ ଓଡ଼ିଶାରେ ଖରାର ପ୍ରଭାବ କମ ରହିଛି। ରାଜ୍ୟର ହାରାହାରି ତାପମାତ୍ରା ୨ ରୁ ୪ ଡିଗ୍ରୀ କମିଛି। ବର୍ଷା କମିଲେ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #WeatherUpdates #Rainfall #WesternDisturbance #Temperature #Odisha

Comment