ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଏପ୍ରିଲ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୫ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପୂର୍ବରୁ ଶୁକ୍ରବାର ଦିନ ବରଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଲାଟ ଲୁହାଙ୍କ ଅଧ୍ୟକ୍ଷତା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତାବିରା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ବୈଠକରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି.ଏସ. ମୀନା, ସାଧାରଣ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ଵାଇଁ, ବ୍ୟୟ ପର୍ଯ୍ୟବେକ୍ଷକ ଫକୀର ମୋହନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ସ୍ଵଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ବୈଠକରେ ଗୁରୁତ୍ଵାରୋପ କରାଯାଇଛି।

ନିର୍ବାଚନ ସମୟରେ କୌଣସି ସରକାରୀ ସ୍ଥାନ କିମ୍ବା କାର୍ଯ୍ୟାଳୟରେ ପୋଷ୍ଟର, ବ୍ୟାନର ଲଗାଯାଇପାରିବ ନାହିଁ। କେବଳ ସେତିକି ନୁହେଁ ଏହି ସ୍ଥାନଗୁଡ଼ିକରେ ନିର୍ବାଚନ ସମ୍ପର୍କିତ କୌଣସି ବୈଠକ କିମ୍ବା ପ୍ରଚାର ପ୍ରସାର କାର୍ଯ୍ୟ କରାଯାଇପାରିବ ନାହିଁ। କୌଣସି ରାଜନୈତିକ ଦଳ ତରଫରୁ ଉପହାର ଦେଇ ମତଦାତାମାନଙ୍କୁ ପ୍ରଲୋଭିତ କରିପାରିବେ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି।

ନିର୍ବାଚନ ବେଳେ କାଉନସିଲର ଏବଂ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି। କାଉନସିଲର ପ୍ରାର୍ଥୀ ୫୦ ହଜାର ଟଙ୍କା ଏବଂ ଅଧ୍ୟକ୍ଷ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ପ୍ରଚାର ସମୟରେ ପ୍ରତିଦିନର ଖର୍ଚ୍ଚ ଆକଳନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ନିର୍ବାଚନ ସମୟରେ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଲାଗି ପୋଲିସ ମୁତୟନ ହେବେ ବୋଲି ଏସପି ପି ଏସ ମୀନା। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନାରେ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ଏସପି।

ସେହିପରି ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରିବାକୁ ଜିଲ୍ଲାପାଳ ମନିଷା ବାନାର୍ଜୀ ବୈଠକରେ ପରାମର୍ଶ ଦେଇଛନ୍ତି। ଯେଉଁଠି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହେବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଅଧିକାରୀ, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ, ସାଧାରଣ ପର୍ଯ୍ୟବେକ୍ଷକ, ଅତିରିକ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ନିର୍ବାଚନ ସମ୍ପର୍କିତ କୌଣସି ସୂଚନା ପାଇବା ପାଇଁ ଜନସାଧାରଣଙ୍କୁ ନିମନ୍ତେ 9437087975 ଏବଂ 9437638924 ମୋବାଇଲ ନମ୍ବରରେ ଜାରି କରାଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ଅତାବିରା ଏନଏସି ଓ ନିର୍ବାଚନରେ ନିଯୋଜିତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Tags: #Politics #Election #NACElection #Voting #AllPartyMeeting #Atabira #Bargarh

LEAVE A REPLY

Please enter your comment!
Please enter your name here