ଓଡ଼ିଶାଲାଇଭ୍ ବ୍ୟୁରୋ

 

  • ଓଡ଼ିଶାରେ ଶିଳ୍ପ ଓ ପୁଞ୍ଜିନିବେଶକୁ ନେଇ ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ
  • ରାଜ୍ୟରେ ପୁଞ୍ଜିନିବେଶର ହାର ଜାତୀୟ ହାରଠୁ ଅଧିକ
  • ଆଗକୁ ଦେଶର ପ୍ରମୁଖ ଶିଳ୍ପ ସମୃଦ୍ଧ ରାଜ୍ୟ ହେବ ଓଡ଼ିଶା

ଓଡ଼ିଶା ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏକ ଅଗ୍ରଣୀ ରାଜ୍ୟ। ଓଡ଼ିଶାରେ ପୁଞ୍ଜିନିବେଶର ହାର ଜାତୀୟ ହାରଠୁ ଅଧିକ। ପୁଞ୍ଜିନିବେଶର ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୪୫ ପ୍ରତିଶତ। ଓଡ଼ିଶାରେ ଶିଳ୍ପ ଓ ପୁଞ୍ଜିନିବେଶକୁ ନେଇ ଶୁକ୍ରବାର ବିଧାନସଭାରେ ବିବୃତି ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ।

“ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ଓଡ଼ିଶାରେ ଅନେକ କମ୍ପାନି ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଏବେ ଓଡ଼ିଶାରେ ହେଉଛି। ଆଗକୁ ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠା ହେବ ଖାସକରି ପାରାଦୀପରେ ଏକ ପେଟ୍ରୋ କେମିକାଲ୍ ହବରେ ପରିଣତ ହେବ”, କହିଛନ୍ତି ପ୍ରତାପ କେଶରୀ ଦେବ

ସେ ଆହୁରି ମଧ୍ୟ କହିଛନ୍ତି, “ପୂର୍ବ ବର୍ଷ ଡିସେମ୍ବର ମାସରୁ ଓଡ଼ିଶାରେ ନୂଆ ଶିଳ୍ପ ନୀତି ଲାଗୁ ହୋଇଛି। ୨୦୨୨ ମସିହାର ମେକ୍ ଇନ ଓଡ଼ିଶା କନକ୍ଲେଭରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୭୪୧ଟି ପ୍ରସ୍ତାବ ଆସିଥିଲା ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।”

ଶୁକ୍ରବାର ବିଧାନସଭାରେ ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ନେଇ ଶିଳ୍ପ ମନ୍ତ୍ରୀ ଆହୁରି କହିଥିଲେ,“୨୦୧୬ ଓ ୨୦୧୮ ମସିହାର ମେକ ଇନ ଓଡ଼ିଶା କନକ୍ଲେଭରେ ଆସିଥିବା ଅନେକ ନିବେଶ ପ୍ରସ୍ତାବ ମଧ୍ୟ ଏବେ କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫୬ ବୃହତ୍‌ ଶିଳ୍ପ କାର୍ଯ୍ୟକ୍ଷମ ହୋଇଛି। ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି।”

ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଅନେକ କମ୍ପାନିଙ୍କ ସହ ଚୁକ୍ତି କରିଛନ୍ତି। ଏସବୁ ପଦକ୍ଷେପ ଓଡ଼ିଶାକୁ ଏକ ଦେଶର ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବ। ଓଡ଼ିଶାରେ ଶିଳ୍ପର ବିକାଶ ହେଲେ ଓଡ଼ିଶାର ଅର୍ଥନୀତି ମଧ୍ୟ ଅଗ୍ରଗତି କରିବ।

Tags: #Investment #Industry #Employment #IndustrialHub #Odisha

Comment